ରଣପୁର: ଖୋର୍ଦ୍ଧା ବନଖଣ୍ଡ ଅଧୀନ ଟାଙ୍ଗୀ ରେଞ୍ଜର ସିକୋ ଅଞ୍ଚଳରେ ଦନ୍ତା ହାତୀର ଆତଙ୍କ ଯୋଗୁଁ ସାଧାରଣ ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି। ଜଙ୍ଗଲ ଛାଡ଼ି ଦନ୍ତା ହାତୀ ରାଜରାସ୍ତାକୁ ଚାଲି ଆସିଥିବାରୁ ରଣପୁର–ଜଙ୍କିଆ ମୁଖ୍ୟ ସଡ଼କରେ ଘଣ୍ଟାଧରି ଗାଡ଼ି ଚଳାଚଳ ବନ୍ଦ ରହିଥିଲା।
ସୂଚନା ଅନୁଯାୟୀ, ସିକୋ ଜଙ୍ଗଲରେ ବର୍ତ୍ତମାନ ୧୬ଟିକିଆ ହାତୀପଲ ଡେରା ପକାଇଛନ୍ତି। ଦିନ ସମୟରେ ହାତୀପଲ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି। ଏହି ସମୟରେ ସିକୋ ନିକଟବର୍ତ୍ତୀ ଚାଷ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରୁଥିବାରୁ ଚାଷୀମାନଙ୍କ ଚିନ୍ତା ବଢ଼ିଛି।
ତେବେ ହାତୀପଲରୁ ଏକ ଦନ୍ତା ହାତୀ ଅଲଗା ହୋଇ ସିକୋ ନିକଟରେ ମୁଖ୍ୟ ସଡ଼କ ଉପରେ ବୁଲୁଥିବା ଦେଖି ଯାତ୍ରୀ ଓ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ରଣପୁର–ଜଙ୍କିଆ ରାସ୍ତାରେ ଗାଡ଼ି ଚଳାଚଳ ସାମୟିକ ଭାବେ ବନ୍ଦ ରଖାଯାଇଥିଲା।
ସ୍ଥାନୀୟ ଲୋକେ ଦନ୍ତାକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଫେରାଇବା ପାଇଁ ବନ ବିଭାଗକୁ ତୁରନ୍ତ ଖବର ଦେଇଥିଲେ। କିନ୍ତୁ ବନ ବିଭାଗର କର୍ମଚାରୀମାନେ ବିଳମ୍ବରେ ପହଞ୍ଚିଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦନ୍ତା ହାତୀର ଆତଙ୍କ ଦୂର କରିବା ସହ ହାତୀ–ମଣିଷ ସଂଘର୍ଷ ରୋକିବା ପାଇଁ ବନ ବିଭାଗ ତୁରନ୍ତ ସ୍ଥାୟୀ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
