ବାଲିପାଟଣା: ଶିକ୍ଷାନୁଷ୍ଠାନର ପବିତ୍ରତା ବଜାୟ ରଖିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଏବଂ ଜାତୀୟ ନାର୍କୋ କୋଅର୍ଡିନେସନ୍ ସେଣ୍ଟର ପକ୍ଷରୁ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। କଲେଜ ପରିସରର ୫୦୦ ମିଟର ପରିଧି ମଧ୍ୟରେ ମଦ, ଗଞ୍ଜେଇ, ତମାଖୁ ସମେତ ସମସ୍ତ ପ୍ରକାର ନିଶାଦ୍ରବ୍ୟ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ଆସନ୍ତା ଜୁଲାଇ ୧୫ ସୁଦ୍ଧା ଏହାର ରିପୋର୍ଟ ଦାଖଲ କରିବାକୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏହି ନିର୍ଦ୍ଦେଶନାମା କେବଳ କାଗଜପତ୍ରରେ ସୀମିତ ରହିବ ନା ବାସ୍ତବରେ ପ୍ରତିଫଳିତ ହେବ, ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।କୋଟ୍ପା-୨୦୦୩ ଆଇନ ଅନୁସାରେ ସ୍କୁଲ୍ର ୧୦୦ ୟାର୍ଡ (୯୧ ମିଟର) ଭିତରେ ତମାଖୁ ବିକ୍ରି ନିଷେଧ ଥିଲେ ମଧ୍ୟ, ଏହାର କାର୍ଯ୍ୟକାରିତା ବାଲିପାଟଣା ଥାନା ଅଂଚଳରେ ବର୍ତ୍ତମାନର ସ୍ଥିତିରେ କେତେ ଦୁର୍ବଳ ତାହା ସହରର ଗଳିକନ୍ଦିରେ ଦେଖିବାକୁ ମିଳୁଛି।ଅଧିକାଂଶ ବିଦ୍ୟାଳୟ ଆଗରେ ଗୁଟକା ,ପାନ ଦୋକାନ ଖୋଲାଯାଇ ଖୁଲମଖୋଲା ବେପାର ଚାଲିଛି | ନିୟମରେ ଖିଲାପ କଲେ ସ୍ଵତନ୍ତ୍ର ଦଣ୍ଡବିଧାନ ମଧ୍ୟ ଆଇନରେ ରହିଛି I କିନ୍ତୁ ପରିତାପର ବିଷୟ ଏହି ଆଇନ କେବଳ କାଗଜ କଲମରେ ସୀମିତ ରହିଛି |
କୌଣସି ଉପାନ୍ତ ଅଂଚଳ ନୁହେଁ ବରଂ ଖୋଦ ରାଜଧାନୀ ଉପକଣ୍ଠ ବାଲିପାଟଣା ଅଂଚଳରେ ଥିବା ଅଧିକାଂଶ ସରକାରୀ ବିଦ୍ୟାଳୟ ନିକଟରେ ସ୍ପଷ୍ଟ ଦିବାଲୋକରେ ଚାଲିଛି ଅବାଧ ନିଶା ଦ୍ରବ୍ୟ କାରବାର । କେଉଁଠି ବିଦ୍ୟାଳୟର ସମ୍ମୁଖରେ ତ ପୁଣି ଆଉ କେଉଁଠି ଶିକ୍ଷାନୁଷ୍ଠାନ ମାନଙ୍କର ପାଚେରୀ ଲାଗି ଜମୁଛି ନିଶାଦ୍ରବ୍ୟର ବେପାର । ତମାଖୁ, ସିଗାରେଟ, ବିଡ଼ି ଭଳି ନିଶାଯୁକ୍ତ ସାମଗ୍ରୀ ଦିବାଲୋକରେ ଖୋଲାଖୋଲି ଭାବେ ବିକ୍ରି ହେଉଥିବା ବେଳେ ଲୁଚାଛପାରେ ଚୋରା ମଦ, ବ୍ରାଉନସୁଗାର ଭଳି ମଧ୍ଯ ଉପଲବ୍ଧ ହେଉଛି ବୋଲି କୁହାଯାଉଛି । କୋଟପା ଆଇନ -୨୦୦୩ର ଖୁଲମଖୁଲା ଧର୍ଜିଆ ଉଡାଇ ନିଶା ବ୍ୟବସାୟ ଚାଲିଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ସମସ୍ତେ କିନ୍ତୁ ନୀରବଦ୍ରଷ୍ଟା ସାଜିଛନ୍ତି।ସେହିପରି ବାଲିପାଟଣା ସ୍ଥିତ ଶିଶୁ ଅନନ୍ତ ମହାବିଦ୍ୟାଳୟକୁ ଲାଗି ରହିଥିବା ଆମ୍ବ ତୋଟା ଏବେ ନିଶାଡିଙ୍କ ଚରାଭୂଇଁ ପାଲଟିଛି। ଏହା ପୁଣି ଥାନାର ୪୦୦ ମିଟର ପରିଧି ମଧ୍ୟରେ ନିଶା ବିକ୍ରୟ ନିଶା ସେବନ କାର୍ଯ୍ୟ ଅନବରତ ଚାଲିଛି । ପୋଲିସ ମଝିରେ ମଝିରେ ଲୋକ ଦେଖାଣିଆ ଚଢ଼ାଉ କରି ଚୁପ୍ ବସି ଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଏଭଳି ସ୍ଥଳେ ୧୦୦ ୟାର୍ଡ ପରିବର୍ତ୍ତେ ୫୦୦ ମିଟର ପରିଧିକୁ ନିଶାମୁକ୍ତ କରିବା ଏକ କଷ୍ଟସାଧ୍ୟ ହେବ ବୋଲି କୁହାଯାଉଛି। କେବଳ ରିପୋର୍ଟ କାଗଜରେ ଦର୍ଶାଇଦେଲେ କିମ୍ବା ଏଚ୍ଆଇଏସ୍ଏସ୍ ପୋର୍ଟାଲରେ ତଥ୍ୟ ଅପଲୋଡ୍ କରିଦେଲେ କଲେଜ ପରିବେଶ ନିଶାମୁକ୍ତ ହୋଇଯିବ ନାହିଁ। ଏହି ନିୟମ କାର୍ଯ୍ୟକାରୀ କରିବା ପାଇଁ କେବଳ ଫିଜିକାଲ୍ ଯାଞ୍ଚ ନୁହେଁ, ବରଂ ପ୍ରଶାସନିକ ଦୃଢ଼ ଇଚ୍ଛାଶକ୍ତି ଏବଂ ନିରନ୍ତର କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ଉଚ୍ଚଶିକ୍ଷା ବିଭାଗର ଏହି ନିର୍ଦେଶନାମା ନିଶ୍ଚିତ ଭାବେ ପ୍ରଶଂସନୀୟ। ମାତ୍ର, ଯଦି ସ୍ଥାନୀୟ ପ୍ରଶାସନ ଓ ଅଧିକାରୀ ମାନେ ଏହାକୁ ମିଳିତ ଭାବେ ଏବଂ କଠୋର ଭାବେ କାର୍ଯ୍ୟକାରୀ ନକରନ୍ତି, ତେବେ ଏହା ପୂର୍ବ କୋଟପା ଆଇନ ପରି କେବଳ ଏକ ସରକାରୀ ବିଜ୍ଞପ୍ତିରେ ପରିଣତ ହୋଇ କାଗଜ କଲମରେ ସିମୀତ ରହିଯିବ।
