ଭୁବନେଶ୍ୱର : ଆସୁଛି ଲଘୁଚାପ। ପୁଣି ଆସୁଛି ବଡ ବର୍ଷା। ଆସନ୍ତା ସପ୍ତାହରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟର ଉତ୍ତର ଓଡିଶା ସମେତ ଅନ୍ୟାନ୍ୟ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛି। ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ରର ସୂଚନାନୁଯାୟୀ, ଗୁରୁବାର ବାଲେଶ୍ୱର, ଚାନ୍ଦବାଲି, ବାରିପଦା, ଭବାନୀପାଟଣା, ବଲାଙ୍ଗୀର, ମାଲକାନଗିରି, ରାୟଗଡ଼ା, ଦେବଗଡ଼ ଏବଂ ନବରଙ୍ଗପୁର ଜିଲାର କିଛି ଅଞ୍ଚଳରେ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଳେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ ଏବଂ ବୌଦ୍ଧ ଜିଲାର କିଛି ଅଞ୍ଚଳରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି।
ପାଣିପାଗ ବିଶେଷଜ୍ଞ ବିଶ୍ବଜିତ ସାହୁ କହିଛନ୍ତି, ଆସନ୍ତା ୧୨ତାରିଖ ବେଳକୁ ଉତ୍ତର ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର ବାଲେଶ୍ବର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ମଧ୍ୟମଧରଣର ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ବର୍ଷାର ପ୍ରଭାବ କମ ରହିବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଲଘୁଚାପ ବର୍ଷା ସଂକ୍ରାନ୍ତରେ ଅଧିକ ସ୍ପଷ୍ଟତା ଆସିବ ବୋଲି ସେ କହିଛନ୍ତି।
