ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଆଷାଢ଼ ମାସରେ ପର୍ଶୁରାମାଷ୍ଟମୀ ବିଜେ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଯାତ୍ରା ଅଟେ। ଏହି ଦିନ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଶ୍ରୀ ପର୍ଶୁରାମେଶ୍ଵର ଦେଉଳକୁ ବିଜେ କରିଥାନ୍ତି। ପରଶୁରାମଙ୍କ ଇଶ୍ୱର ପର୍ଶୁରାମେଶ୍ଵର ନାମରେ ଶ୍ରୀ ସଦାଶିବ ଲିଙ୍ଗରାଜ ମହାପ୍ରଭୁ ଏଠାରେ ବିଜେ କରିଅଛନ୍ତି। ତ୍ରେତୟା ଯୁଗରେ ଶ୍ରୀ ହରିଙ୍କ ଅବତାର ଭୃଗୁପତି ପର୍ଶୁରାମ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କୁ ଏହିଠାରେ ଉପାସନା କରିଥିଲେ। ଭୃଗୁପତି ରାମଙ୍କ ଉପାସନାର ସନ୍ତୁଷ୍ଟ ହୋଇ ମହାପ୍ରଭୁ ବର ପ୍ରଦାନ କରି ବଚନ ଦେଇଥିଲେ ଆଜିଠାରୁ ଏହି ଲିଙ୍ଗ ପର୍ଶୁରାମେଶ୍ଵର ଲିଙ୍ଗ ରୂପେ ପରିଚିତ ହେବ ଏବଂ ପ୍ରତିବର୍ଷ ଆଜିର ଦିନରେ ଆମ୍ଭେ ଏଠାକୁ ସପରିବାରେ ବିଜେ କରିବୁ ଓ ତୁମ୍ଭଠାରୁ ପୂଜା ଗ୍ରହଣ କରିବୁ। ତେଣୁ ଏହି ଦିନର ସ୍ମୃତି ଚାରଣ ପୂର୍ବକ ପ୍ରତିବର୍ଷ ଆଜିର ଦିନରେ ମହାପ୍ରଭୁ ଲିଙ୍ଗରାଜ ଦେବୀ ପାର୍ବତୀ, ଦେବୀ ଦୁର୍ଗା ଓ ଶ୍ରୀ ବାସୁଦେବଙ୍କ ସହିତ ଏଠାକୁ ବିଜେ କରିଥାନ୍ତି।
ମହାପ୍ରଭୁଙ୍କ ଦ୍ୱିପ୍ରହର ଧୂପ ପରେ ଚତୁଃମୂର୍ତ୍ତୀ ଲିଙ୍ଗରାଜ ବିମାନ ଓ ପାଲିଙ୍କି ଆରୋହଣ ପୂର୍ବକ ସିଦ୍ଧବନ ବିଜେ କରିଥାନ୍ତି। ପର୍ଶୁରାମେଶ୍ଵର ଦେଉଳ ନିକଟରେ ପହଁଞ୍ଚିବା ପରେ ଶ୍ରୀ ମହାପ୍ରଭୁ ପର୍ଶୁରାମେଶ୍ଵରଙ୍କ ଜଗମୋହନ କୁ ବିଜେ କରିଥାନ୍ତି। ବିଜେ କରିବା ଉତ୍ତାରୁ ମହାପ୍ରଭୁଙ୍କ ଉଦ୍ଦେଷ୍ୟରେ ନୈବେଦ୍ୟ ଓ ଆଳତି ସମର୍ପଣ ହୁଏ। ଏହାପରେ ଶ୍ରୀ ପର୍ଶୁରାମେଶ୍ଵରଙ୍କ ସହିତ ଭେଟ ଆଳତି ଅନୁଷ୍ଠିତ ହୋଇଥାଏ। ଏହି ସମୟରେ ଶ୍ରୀ ପର୍ଶୁରାମେଶ୍ଵରଙ୍କ ସହ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ଅତୀବ ପୁଣ୍ଯ ଦାୟକ ଅଟେ। ଏହି ଭେଟ ଉତ୍ସବ ଯିଏ ଦର୍ଶନ କରେ ସେ ସମସ୍ତ ପାପ ତାପରୁ ମୁକ୍ତିଲାଭ କରିଥାଏ।
ଏହି ଦିନ ବିନ୍ଦୁସାଗରରେ ସ୍ନାନ ଅନ୍ତେ ବ୍ରହ୍ମା ବାସୁଦେବ ସହିତେ ଅଷ୍ଟମୂର୍ତ୍ତୀ ଲିଙ୍ଗରାଜଙ୍କୁ ଦର୍ଶନ କରି ସିଦ୍ଧବନ ସ୍ଥିତ ଶ୍ରୀ ପର୍ଶୁରାମେଶ୍ଵରଙ୍କୁ ଦର୍ଶନ କଲେ ମହାପ୍ରଭୁ ଚତୁର୍ବର୍ଗ ପ୍ରଦାନ କରନ୍ତି। ପୁନଶ୍ଚ ଆସନ୍ତା ଆଷାଢ଼ ଚତୁର୍ଦ୍ଦଶୀ ଠାରୁ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଦେବୀ ପାର୍ବତୀଙ୍କ ସହିତରେ ଚତୁର୍ମାସ କାଳ ଶୟନ କରିଥାନ୍ତି। ଲୋକାଚାର ମତରେ ଏହି ସମୟରେ ଶ୍ରୀ ପର୍ଶୁରାମେଶ୍ଵର ଏକାମ୍ର କ୍ଷେତ୍ର ସୁରକ୍ଷା ଦାୟିତ୍ଵରେ ରହିଥାନ୍ତି। ଏହି ସମୟରେ ଶ୍ରୀ ପର୍ଶୁରାମେଶ୍ଵରଙ୍କ ବିଶେଷ ଅଭିଷେକ ନୀତି ମାନ ଅନୁଷ୍ଠିତ ହୋଇଥାଏ।
