ଓଡ଼ଗାଁ: ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅସାମ୍ବିଧାନିକ ଭାବେ ଗ୍ରାମ ସଭାପତି ତଥା କଙ୍ଗାରୁ କୋର୍ଟ ବିଚାରପତି ପ୍ରଥା ବେଆଇନ ଭାବେ ଚାଲିଥିବା ବେଳେ ଏନେଇ ଏ ଯାବତ ପୋଲିସ କିମ୍ବା ପ୍ରଶାସନ ଏହାକୁ ବନ୍ଦ କରିବାରେ ବିଫଳ ହୋଇଛି | ହେଲେ ଏନେଇ ସ୍ଥାନୀୟ ଆଦର୍ଶ ଥାନା ଅଧିକାରୀ ସତ୍ୟନାରାୟଣ ବାରିକ ଏକ ପାଦ ଆଗକୁ ଯାଇ ପ୍ରଥମେ 9 ତାରିଖରେ ଅଭିଯୁକ୍ତ ୱାର୍ଡ ମେମ୍ବର ଓ ସୋମବାର ତଥାକଥିତ କଙ୍ଗାରୁ କୋର୍ଟ ବିଚାରପତିଙ୍କୁ ଗିରଫ କରି କୋର୍ଟ ଚାଲାଣ ପରେ ଜେଲ ହାଜତକୁ ପଠାଇ ଉଦାହରଣ ସୃଷ୍ଟି କରିଛନ୍ତି | ସୂଚନା ଅନୁସାରେ ଓଡ଼ଗାଁ ଆଦର୍ଶ ଥାନା ବାହାଡ଼ାଝୋଲା ଫାଣ୍ଡି ସିଙ୍ଘାରପଲୀ ନିକଟ କାପ୍ତାପଲ୍ଲୀ ପଞ୍ଚାୟତ ବଡ଼ଦୁରୁପା ଗ୍ରାମ କମିଟି ସଭାପତି ତଥା କଙ୍ଗାରୁ କୋର୍ଟର ବିଚାରପତି ଅନୁସୂଚୀତ ଜନଜାତିର ସୋମନାଥ ଜାନିଙ୍କୁ ଓଡ଼ଗାଁ ପୋଲିସ ସୋମବାର ସକାଳେ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରିଥିଲେ। ଜାମିନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଏଠି ପୂର୍ବରୁ ସେହି ଅଞ୍ଚଳର ଜଣେ ଭିନ୍ନକ୍ଷମ ବନାବାଳିକାଙ୍କୁ ବଳ ପୂର୍ବକ ବାରମ୍ବାର ଧର୍ଷଣ କରିବାପରେ ଧର୍ଷଣକାରୀ, ୱାର୍ଡ ମେମ୍ବର ଅଭିଯୁକ୍ତ ୱାଡମେମ୍ବର ଅନିରୁଦ୍ଧ ଜାନି ସମ୍ପୃକ୍ତ ପୀଡ଼ିତାଙ୍କ ବଳ ପୂର୍ବକ ଔଷଧ ଖୁଆଇ ଗର୍ଭପାତ କରାଇଥିଲେ । ହେଲେ ପୀଡିତା ପରିବାର ଭୃଣ ମୃତ୍ୟୁ ସୁଧି କ୍ରିୟା ନକରିବାରୁ ପୀଡ଼ିତା ପରିବାରକୁ କଙ୍ଗାରୁ କୋର୍ଟ ସଭାପତି ବଡ଼ଦୁରୁପା ଗ୍ରାମର ସୋମନାଥ ଜାନୀ ଦେଢ଼ ଲକ୍ଷ ଟଙ୍କା ଜରିମନା କରିଥିଲେ | ପୀଡିତା ପରିବାର ଛେଳି ସହିତ ୫୦ ହଜାର ଟଙ୍କା ଖର୍ଚ୍ଚରେ ଭୋଜି ଦେବା ପରେ ଅତିରିକ୍ତ ଜରିମାନା ଦେଇ ନପାରିବାରୁ ଅଭିଯୁକ୍ତ ଅନିରୁଦ୍ଧ ଜାନୀ ଏବଂ ସଭାପତି ସୋମନାଥ ଜାନୀ ମିଳିତ ଉଦ୍ୟମରେ ପୁନଃ କଙ୍ଗାରୁ କୋର୍ଟ ବସାଇ ପୀଡ଼ିତା ପରିବାରକୁ ଗାଁରୁ ବାସନ୍ଦ କରାଯାଇଥିବା ଭଳି ନିଷ୍ପତି ଶୁଣାଇଥିଲେ |
ଅନ୍ୟପକ୍ଷେ ପୀଡିତା ପରିବାର ଜରିମାନା ଛାଡ଼ ପାଇଁ ବହୁ ଗୁହାରି କଲେ ସୁଦ୍ଧା କଙ୍ଗାରୁ କୋର୍ଟ ସେମାନଙ୍କ କଥା ଶୁଣି ନଥିଲେ। ଫଳରେ ଏନେଇ ପୀଡ଼ିତାଙ୍କ ମା’ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ଓଡ଼ଗାଁ ପୋଲିସ ୨୦୨/୨୬ରେ ମାମଲା ରୁଜୁ କରି ଧର୍ଷଣକାରୀ ଓ ଭୃଣ ହତ୍ୟା କରିବା ଅଭିଯୋଗରେ ପ୍ରଥମେ ଅଭିଯୁକ୍ତ ୱାଡମେମ୍ବରକୁ ୦୯ ତାରିଖରେ କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ଜେଲରେ ଥିବା ବେଳେ ସୋମବାର ଗ୍ରାମ ସଭାପତି ତଥା କଙ୍ଗାରୁ କୋର୍ଟ ବିଚାରପତି ଜେଲ ହାଜତକୁ ଯିବା ପରେ ପୀଡିତା ପରିବାର ଆଶ୍ୱସ୍ଥି ଲାଭ କରିଛନ୍ତି | ଏବଂ ପୋଲିସର ଏତାଦୃଶ କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି |
