ତାମିଲନାଡ଼ୁ : ତାମିଲନାଡୁର ବିଜୟ ସରକାର ବଜେଟ ୨୦୨୬-୨୭ରେ ମହିଳାମାନଙ୍କୁ ବଡ଼ ଉପହାର ଦେଇଛନ୍ତି । ବଜେଟରେ ବ୍ରଦର୍ସ ଗିଫ୍ଟ ସ୍କିମ ଅଧିନରେ ମହିଳାଙ୍କୁ ୮ ଗ୍ରାମର ସୁନାର କଏକ ଏବଂ ସିଲ୍କ ଶାଢି ଯୋଜନା ପାଇଁ ୮୧୨ କୋଟି ଟଙ୍କାର ପ୍ରସ୍ତାବ ଆଗତ କରିଛନ୍ତି । ଏହାକୁ ଝିଅ ବିବାହ ସମୟରେ ପ୍ରଦାନ କରାଯିବ ।ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ତାଙ୍କ ନିର୍ବାଚନ ଇସ୍ତାହାରରେ ମହିଳାମାନଙ୍କୁ ଉପହାର ଦେବାକୁ ଘୋଷଣା କରିଥିଲେ । ଏବେ ବଜେଟରେ ଏନେଇ ଘୋଷଣା କରାଯାଇଛି । ବିଧାନସଭାରେ ଟିଭିକେ ସରକାର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି ।
ବୁଧବାର ତାମିଲନାଡୁ ଅର୍ଥମନ୍ତ୍ରୀ ଏନ. ମେରୀ ୱିଲସନ୍ ବିଧାନସଭାରେ ଟିଭିକେ ସରକାରଙ୍କ ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି, ରାଜ୍ୟକୁ ଆର୍ଥିକ ସଙ୍କଟରୁ ଉଦ୍ଧାର କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ଟେଣ୍ଡରରେ କିଛି ଦଳ ଏବଂ ବ୍ୟକ୍ତିବିଶେଷ ପାଇଥିବା କଟ ବା କମିସନକୁ ବନ୍ଦ କରିଥିବାରୁ ୱିଲସନ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ୱିଲସନ କହିଛନ୍ତି ଯେ, ପ୍ରଥମ ଥର ହଜ୍ ଯାତ୍ରୀଙ୍କ ପାଇଁ ସବସିଡି ୨୫ ହଜାର ଟଙ୍କାରୁ ୩୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ ।
ଅର୍ଥମନ୍ତ୍ରୀ କହିଛନ୍ତି, ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ଏବଂ ତାମିଲନାଡୁକୁ ଅନ୍ତର୍ଜାତୀୟ କ୍ରୀଡାରେ ସର୍ବୋଚ୍ଚ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ୧୦ଟି ଅଲିମ୍ପିକ୍ ଉତ୍କର୍ଷ କେନ୍ଦ୍ର ନିର୍ମାଣ ପାଇଁ ୫.୫୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।ଏଆଇ ଉପରେ ପ୍ରାଧାନ୍ୟ ଦେଇ ତାମିଲନାଡ଼ୁ ଅର୍ଥମନ୍ତ୍ରୀ କହିଛନ୍ତି, ୨୦୩୧ ଯାଏଁ ରାଜ୍ୟରେ ଥିବା ଇଂଜିନିୟରିଂ କଲେଜ, ପଲିଟେକନିକ କଲେଜ ଏବଂ ଇଣ୍ଡଷ୍ଟ୍ରୀଆଲ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ପଢୁଥିବା ପିଲାଙ୍କୁ ୫ ଲକ୍ଷ ଟଙ୍କାର AI ସ୍କିଲ୍ ଟ୍ରେନିଂ ଦିଆଯିବ ।
