ନୂଆଦିଲ୍ଲୀ : ଅଗଷ୍ଟ ୪ ତାରିଖରେ ଫୁକେଟରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ (ଏଆର-୨୩୭୯) ଆକାଶରେ ଟର୍ବୁଲାନ୍ସର ସମ୍ମୁଖୀନ ହେବା ଘଟଣାରେ ନୂଆ ମୋଡ଼ । ବିମାନର ପାଇଲଟ ଡୋପ୍ ଟେଷ୍ଟ ପଜେଟିଭ୍ ଆସିଛି । ଏୟାର ଇଣ୍ଡିଆର ଫୁକେଟ୍-ଦିଲ୍ଲୀ ବିମାନ AI2379 ମଝି ଆକାଶରେ ଭୟଙ୍କର ଟର୍ବୁଲାନ୍ସର ଶିକାର ହୋଇଥିଲା । ଏହି ଘଟଣାରେ ୧୩ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟ ଆହତ ହୋଇଥିଲେ ।
ଖବର ଅନୁଯାୟୀ, ଘଟଣା ପରେ କରାଯାଇଥିବା ଡୋପ୍ ଟେଷ୍ଟରେ ବିମାନର ପାଇଲଟ ଏକ ମାନସିକ ସ୍ଥିତିକୁ ପ୍ରଭାବିତ କରୁଥିବା ସାଇକୋଆକ୍ଟିଭ୍ ପଦାର୍ଥ ରହିଥିବା ଜଣାପଡ଼ିଛି । ଘଟଣାକୁ ନେଇ ଡିଜିସିଏ ତଦନ୍ତ ଆରମ୍ଭ କରିଛି। ବିମାନ ସୁରକ୍ଷା ନିୟମ ଓ କ୍ରୁଙ୍କ ଫିଟ୍ନେସ୍ ସମ୍ପର୍କରେ ମଧ୍ୟ ଯାଞ୍ଚ କରାଯାଉଛି।
ସୂଚନାଯୋଗ୍ୟ ଯେ, ଅଗଷ୍ଟ ୪ ତାରିଖରେ ଏୟାର ଇଣ୍ଡିଆର AI2379 ବିମାନଟି ଫୁକେଟରୁ ଦିଲ୍ଲୀ ଆସୁଥିବା ସମୟରେ ପ୍ରବଳ ଟର୍ବୁଲାନ୍ସର ସମ୍ମୁଖୀନ ହୋଇଥିଲା । ଏହି ସମୟରେ ବିମାନଟି ପ୍ରାୟ ୩୦୦ ଫୁଟ ତଳକୁ ଖସି ଆସିଥିଲା, ଯାହା ଫଳରେ କେତେକ ଯାତ୍ରୀ ଓ କ୍ରୁ ସଦସ୍ୟ ସାମାନ୍ୟ ଆହତ ହୋଇଥିଲେ । ବିମାନଟି ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିବା ପରେ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ଓହ୍ଲାଇ ଦିଆଯାଇଥିଲା ଏବଂ ଆହତମାନଙ୍କୁ ବିମାନବନ୍ଦରର ମେଡିକାଲ ସେଣ୍ଟରରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା ।
