ବାଲେଶ୍ଵର( ଭିଓଭି )୧୦/୮ : – ପାଣିପାଗର ପୂର୍ବାନୁମାନ ଅଧିକ ସଠିକ୍ ହେବା ପାଇଁ ଉତ୍ତର ଓଡ଼ିଶା ବାଲେଶ୍ୱରରେ ନୂଆ ଡପ୍ଲର ରାଡାର୍ ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ଭାରତର ପାଣିପାଗ ବିଭାଗ ଅଧିକାରୀଙ୍କ ଦ୍ୱାରା ଖୁବ୍ ଶୀଘ୍ର ଏହାର ଉଦ୍ଘାଟନ ହେବାକୁ ଯାଉଛି । ଅତ୍ୟାଧୁନିକ ଡପ୍ଲର ରାଡାର୍ ସାହାଯ୍ୟରେ ବାତ୍ୟା, ବନ୍ୟା, ବଜ୍ରପାତ, କାଳବୈଶାଖୀ ଇତ୍ୟାଦିର ସଠିକ ପୂର୍ବାନୁମାନ କରାଯାଇପାରିବ । ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ପରି ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡ଼ିକ ପ୍ରାୟତଃ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହୋଇଥାନ୍ତି ।
ଏହି ରାଡାର୍ କାର୍ଯ୍ୟକ୍ଷମ ହେବା ପରେ ପ୍ରଶାସନ ଏବଂ ଜନସାଧାରଣଙ୍କୁ ସମୟ ପୂର୍ବରୁ ସଠିକ୍ ସୂଚନା ମିଳିପାରିବ ଏବଂ ଧନ ଜୀବନ କ୍ଷୟକ୍ଷତି ବହୁ ପରିମାଣରେ ହ୍ରାସ କରାଯାଇପାରିବ । ଏବେ ଏହାର ଚୂଡ଼ାନ୍ତ ପରୀକ୍ଷଣ ଚାଲିଛି । ୨୦ ଦିନ ମଧ୍ୟରେ ଏହାକୁ ବିଧିବଦ୍ଧ ଭାବରେ ଜନସାଧାରଣଙ୍କ ସେବାରେ କାର୍ଯ୍ୟକାରୀ କରାଯିବ । ଏହି ରାଡାରର କ୍ଷମତା ୩୫୦ କିଲୋମିଟର ରହିଛି ଅର୍ଥାତ ସମୁଦ୍ରରୁ ୩୫୦ କିଲୋମିଟର ପର୍ଯ୍ୟନ୍ତ ପାଣିପାଗ ଆକଳନ କରି ହେବ । ପୂର୍ବ ସରକାର ସମୟରେ ଏହି ଡପ୍ଲର ରାଡାରର କାର୍ଯ୍ୟ ଅଧା ପନ୍ତରିଆ ଭାବରେ ପଡ଼ି ରହିଥିଲା । ଦୀର୍ଘ ୧୦ ବର୍ଷ ବିତି ଯାଇଥିଲେ ମଧ୍ୟ କାମ ଶେଷ ହୋଇ ପାରିନଥିଲା । ମୋହନ ସରକାର ଆସିବା ପରେ ୨ ବର୍ଷ ମଧ୍ୟରେ କାମ ଶେଷ ହୋଇ ଏହାର ଉଦ୍ଘାଟନ ହେବାକୁ ଯାଉଛି । ବିଭିନ୍ନ ମହଲରେ ଏହାକୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଉଛି ।
