କଟକ: ରୋଟାରି କ୍ଲବ କଟକ କ୍ୟାଣ୍ଟନମେଣ୍ଟର ୭ମ ଅଧିଷ୍ଠାନ ଦିବସ କଟକସ୍ଥିତ ହୋଟେଲ ପିପୁଲ୍ସ ପଦ୍ମଜାଠାରେ ଆନନ୍ଦ ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ କ୍ଲବର ପୁରୁଣା କାର୍ଯ୍ୟକାରିଣୀ ନୂତନ କାର୍ଯ୍ୟକାରିଣୀକୁ ଦାୟିତ୍ୱ ହସ୍ତାନ୍ତର କରିବା ସହିତ ଆଗାମୀ ବର୍ଷ ପାଇଁ ସମାଜସେବାର ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଥିଲା। ଉତ୍ସବରେ ପୂର୍ବତନ ଜିଲ୍ଲା ପ୍ରାନ୍ତପାଳ ଜୟଶ୍ରୀ ମହାନ୍ତି ମୁଖ୍ୟ ଅତିଥି ଏବଂ ଆସିଷ୍ଟାଣ୍ଟ ଗଭର୍ଣ୍ଣର ନୂପୁର ସୁର ମୁଖ୍ୟ ଅତିଥିଙ୍କ ସହ ଯୋଗଦେଇଥିଲେ। ଚାର୍ଟର ପ୍ରେସିଡେଣ୍ଟ ଡ. ତାପସ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଧିଷ୍ଠାନ ଉତ୍ସବଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। କ୍ଲବର ବିଦାୟୀ ସଭାପତି ରୁପେଶ ଦାସ ଓ ସହ-ସମ୍ପାଦକ ଶୁଭ୍ରା ମହାନ୍ତି ନୂତନ ରୋଟାରୀ ବର୍ଷ ୨୦୨୬-୨୭ ପାଇଁ ମନୋନୀତ ସଭାପତି ଜ୍ୟୋତି ରଞ୍ଜନ ଲେଙ୍କା ଓ ସମ୍ପାଦକ ରୋଟାରିଆନ ସାଦ ହାସମୀଙ୍କୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ବିଦାୟୀ ସଭାପତି ଓ ସମ୍ପାଦକଙ୍କ ନେତୃତ୍ୱରେ ଗତ ରୋଟାରି ବର୍ଷରେ କ୍ଲବ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ।

ନୂତନ ସଭାପତି ଜ୍ୟୋତି ରଞ୍ଜନ ଲେଙ୍କା ନୂତନ କାର୍ଯ୍ୟକାରିଣୀର ସଦସ୍ୟମାନଙ୍କ ନାମ ଓ ସେମାନଙ୍କ ଦାୟିତ୍ୱ ଘୋଷଣା କରିଥିଲେ। ଅଧିଷ୍ଠାନ ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା ୨୫ଜଣ ନୂତନ ସଦସ୍ୟଙ୍କୁ ରୋଟାରି ପରିବାରରେ ସାମିଲ କରାଯିବା। ମୁଖ୍ୟ ଅତିଥି ନୂତନ ସଦସ୍ୟମାନଙ୍କୁ ରୋଟାରି ପିନ୍ ପିନ୍ଧାଇ ସଦସ୍ୟତା ପ୍ରଦାନ କରିଥିଲେ। ସମାଜସେବାର ଅଂଶ ଭାବେ ଏହି ଅବସରରେ ଦୁଇଜଣ ମୁକ-ବଧିର ଛାତ୍ରୀଙ୍କୁ ଭୁବନେଶ୍ୱର ରୋଟାରି ଇଲାଇଟ୍ କ୍ଲବର ପୂର୍ବତନ ସଭାପତି ସରୋଜ କୁମାର ଦାସ ସ୍କୁଲ ବ୍ୟାଗ୍, ଖାତା ଓ ଅନ୍ୟାନ୍ୟ ଶିକ୍ଷା ସାମଗ୍ରୀ ପ୍ରଦାନ କରିଥିଲେ। କ୍ଲବ ପକ୍ଷରୁ ୫ ଜଣ ଯକ୍ଷ୍ମା ପୀଡ଼ିତ ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରାଯାଇଥିବାବେଳେ ଆଉ ଜଣେ ବ୍ୟକ୍ତିଙ୍କୁ ହ୍ୱିଲ୍-ଚେୟାର ପ୍ରଦାନ କରାଯାଇଥିଲା।

ଏହି ଅଧିଷ୍ଠାନ ଦିବସରେ ରୋଟାରି କ୍ଲବ କଟକ କ୍ୟାଣ୍ଟନମେଣ୍ଟର ସମସ୍ତ ସଦସ୍ୟଙ୍କ ସହିତ କଟକ ଓ ଭୁବନେଶ୍ୱରର ବିଭିନ୍ନ ରୋଟାରି କ୍ଲବର ସଭାପତି, ସମ୍ପାଦକ ଓ ବହୁ ବିଶିଷ୍ଟ ରୋଟାରିଆନ ଯୋଗଦେଇଥିଲେ। ନୂତନ ନେତୃତ୍ୱରେ କ୍ଲବ ଆଗାମୀ ଦିନରେ ଶିକ୍ଷା, ସ୍ୱାସ୍ଥ୍ୟ, ଦୁର୍ବଳ ଓ ଅସହାୟ ବର୍ଗଙ୍କ ସହାୟତା ସମେତ ବିଭିନ୍ନ ସେବାମୂଳକ କାର୍ଯ୍ୟକୁ ଆହୁରି ବ୍ୟାପକ କରିବାକୁ ଗୁରୁତ୍ୱ ଦେବ ବୋଲି ନୂତନ କାର୍ଯ୍ୟକାରିଣୀ ପକ୍ଷରୁ ପ୍ରକାଶ କରାଯାଇଛି।
