ରଣପୁର, ୨୬/୦୮ : ରଣପୁର ବ୍ଲକ ବାଦଭୂଇଁ ଗ୍ରାମର ମୁନେସ ପ୍ରଧାନ (୫୩)ଙ୍କ ଦୁଃଖଦ ମୃତ୍ୟୁରେ ରଣପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଓଡ଼ଗାଁ ବ୍ଲକରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ଭାବେ କାର୍ଯ୍ୟରତ ଥିବା ମୁନେସ ଗତ ଗୁରୁବାର ସନ୍ଧ୍ୟାରେ ଅଫିସ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଭେରୁପଡ଼ା ଛକ ପୂର୍ବରୁ ଏକ ଡିସ୍କଭର ଗାଡ଼ି ତାଙ୍କ ଗାଡ଼ିକୁ ପଛପଟୁ ଧକ୍କା ଦେଇଥିଲା।ଧକ୍କାରେ ଭାରସାମ୍ୟ ହରାଇ ମୁନେସ ରାସ୍ତାରେ ପଡ଼ିଯାଇଥିଲେ। ଘଟଣାର କିଛି ସମୟ ପରେ ଭେରୁପଡ଼ା ଛକରେ ଥିବା କିଛି ଯୁବକ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଥିବା ମୁନେସଙ୍କୁ ଉଦ୍ଧାର କରି ରଣପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଦୁର୍ଘଟଣାରେ ତାଙ୍କ ଛାତି ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା।
ସୂଚନା ଅନୁଯାୟୀ, ଡିସ୍କଭର ଗାଡ଼ିରେ ଚାରିଜଣ ଯୁବକ ଦ୍ରୁତ ଗତିରେ ଯାଉଥିବା ବେଳେ ମୁନେସଙ୍କ ଗାଡ଼ିକୁ ପଛପଟୁ ଧକ୍କା ଦେଇଥିଲେ। ଦୁର୍ଘଟଣା ପରେ ସେମାନଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରୁ ଖସି ପଳାଇଥିବା ବେଳେ ଅନ୍ୟ ତିନିଜଣଙ୍କୁ ସ୍ଥାନୀୟ ଲୋକେ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ଯୁବକମାନେ ଭୁବନେଶ୍ୱର ଭାରତପୁର ଅଞ୍ଚଳର ବୋଲି ପ୍ରାଥମିକ ସୂଚନା ମିଳିଥିଲା।ରଣପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ମୁନେସଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଭୁବନେଶ୍ୱର ସମ୍ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।
ମୁନେସ ପ୍ରଧାନ ଜଣେ ଦକ୍ଷ ଓ ଲୋକପ୍ରିୟ ବ୍ୟକ୍ତି ଭାବେ ରଣପୁର ଅଞ୍ଚଳରେ ପରିଚିତ ଥିଲେ। ସେ ପ୍ରଥମେ ରଣପୁର ବ୍ଲକର ଖଇରପଲ୍ଲୀ ପଞ୍ଚାୟତର ସରପଞ୍ଚ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ। ପରବର୍ତ୍ତୀ ସମୟରେ ସରକାରୀ ଚାକିରିରେ ଯୋଗଦେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଷ୍ଠାର ସହ କାର୍ଯ୍ୟ କରିଥିଲେ।ତାଙ୍କ ଅକାଳ ବିୟୋଗରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ରଣପୁର ବିଡିଓ ମନୋଜ କୁମାର ନାୟକ, ସନ୍ତୋଷ ଲେଙ୍କାଙ୍କ ସମେତ ବିଭିନ୍ନ ଅଧିକାରୀ, ଜନପ୍ରତିନିଧି ଓ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି।ମୁନେସଙ୍କ ଅକାଳ ବିୟୋଗରେ ପରିବାର, ବନ୍ଧୁବର୍ଗ, ସହକର୍ମୀ ଓ ସମଗ୍ର ରଣପୁର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।
