ଭୁବନେଶ୍ୱର, ୨୨/୦୯ : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିଚାଳିତ ଯୁକ୍ତ ଦୁଇ ବିଦ୍ୟାଳୟ ଇନଷ୍ଟିଚ୍ୟୁଟ୍ ଅଫ୍ ହାୟର ସେକେଣ୍ଡାରୀ ଏଡୁକେସନ୍ (ଆଇଏଚଏସସି) ପରିସରରେ ଗତ ଶନିବାର ଦିନ ନବାଗତ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ, ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଆଶାବରୀ ମହାନ୍ତି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ଅବସରରେ ଅଧ୍ୟକ୍ଷା ଓ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ କଲେଜ ଜୀବନ ହେଉଛି ଜୀବନର ସୁବର୍ଣ୍ଣ ସମୟ । ଏହି ସମୟକୁ ପାଠପଢ଼ା ସହ ଶୃଙ୍ଖଳା ଓ ସଂସ୍କାର ସହିତ ବିତାଇଲେ ଭବିଷ୍ୟତ ଉଜ୍ଜ୍ୱଳ ହେବ ।
ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଦେଶର କୋଣ ଅନୁକୋଣ ଓ ବିଦେଶରୁ ମଧ୍ୟ ସେମାନଙ୍କର ବାର୍ତା ଅନଲାଇନ ମାଧ୍ୟମରେ ପଠାଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଉତ୍ସବରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକାଦଶ ଶ୍ରେଣୀର ନବାଗତଙ୍କୁ ଫୁଲ ଓ ଚନ୍ଦନ ଲଗାଇ ଓ ଉପହାର ଦେଇ ଭବ୍ୟ ସ୍ୱାଗତ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉପାଧ୍ୟକ୍ଷା, ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଏବଂ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ନନ୍ଦିତା ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।
