• About Us
  • Contact Us
Wednesday, September 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଜ୍ୟରେ ଗଭୀର ଅବପାତ ଜନିତ ବର୍ଷା ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

by Voice of Victims
September 23, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ରାଜ୍ୟରେ ଗଭୀର ଅବପାତ ଜନିତ ବର୍ଷା ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଜନିତ ବର୍ଷା ଓ ଏହାର ପ୍ରଭାବ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସମୀକ୍ଷ କରିଛନ୍ତି। ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।

ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ମୁଖ୍ୟମନ୍ତ୍ରୀଙ୍କୁ ଅବପାତ, ସମ୍ଭାବ୍ୟ ବର୍ଷା ଓ ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।

ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ସମସ୍ତ ପ୍ରାକୃତିକ ବିପର୍ଯ୍ୟୟରେ ଆମର ଏକମାତ୍ର ନୀତି ହେଉଛି-‘ଜିରୋ କାଜୁଆଲ୍‌ଟି’। ତେଣୁ, ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷାକରି ଏହି ପରିସ୍ଥିତିର ମୁକାବିଲା କରିବା ଆବଶ୍ୟକ। ଲୋକଙ୍କ ଧନଜୀବନ ସୁରକ୍ଷା ଉପରେ ସେ ସର୍ବାଧିକ ଗୁରୁତ୍ୱ ଆରୋପ କରିଥିଲେ। ଜଳବନ୍ଦୀ କ୍ଷେତ୍ରରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଏବଂ ସେମାନଙ୍କୁ ଉପଯୁକ୍ତ ରିଲିଫ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯଦିଓ ବାତ୍ୟାର ସମ୍ଭାବନା ନାହିଁ, ତଥାପି ସମସ୍ତ ପ୍ରକାର ସତର୍କତାମୂଳକ ବ୍ୟବସ୍ଥା ସହ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବୈଠକରୁ ଜଣାଯାଇଛି ଯେ, ଏହି ଅବପାତ ଯୋଗୁ ଆଜି ଏବଂ ଆସନ୍ତା କାଲି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ଓ ୨୫ ତାରିଖ ପରେ ପରିସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି।

ଏହି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୩୩ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ଗଞ୍ଜାମରେ ୬, ଗଜପତିରେ ୩, କୋରାପୁଟରେ ୬, ମାଲକାନଗିରିରେ ୩, ରାୟଗଡ଼ାରେ ୩, କଳାହାଣ୍ଡିରେ ୨ ଏବଂ ବଲାଙ୍ଗିରରେ ୧ଟି ଟିମ୍ ମୁତୟନ ହୋଇଛି। ଏହା ବ୍ୟତୀତ ଗଞ୍ଜାମର ଛତ୍ରପୁରସ୍ଥିତ ଓଡ୍ରାଫ୍ ୟୁନିଟ୍‌ର ୯ଟି ଟିମ୍ ରିଜର୍ଭ ରଖାଯାଇଛି।

ଉପକୂଳରେ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ସମସ୍ତ ବନ୍ଦରରେ ସ୍ଥାନୀୟ ସତର୍କ ସଙ୍କେତ ସଂଖ୍ୟା-୩ ଉତ୍ତୋଳନ କରାଯାଇଛି ଏବଂ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କ ପ୍ରବେଶ ଉପରେ ନିଷେଧ ଜାରି ରହିଛି। ଏହାର ଶତ ପ୍ରତିଶତ ଅନୁପାଳନ ନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି।

ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ଗୁଡିକ ଯଥା- ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡିକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିବା ବେଳେ, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଜିଲ୍ଲା ପ୍ରଶାସନ ତଥା ରାଜସ୍ୱ ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକ ପ୍ରସ୍ତୁତି କରାଯାଇଛି।

ଜିଲ୍ଲା ଓ ବ୍ଲକ୍ ଆପାତକାଳୀନ କାର୍ଯ୍ୟ କେନ୍ଦ୍ରଗୁଡ଼ିକୁ ୨୪x୭ କାର୍ଯ୍ୟରତ ରଖିବା, ସମ୍ବେଦନଶୀଳ ବସତି ଚିହ୍ନଟ କରିବା, ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବା ଏବଂ ଶୁଖିଲା ଖାଦ୍ୟ, ଶିଶୁ ଖାଦ୍ୟ, ପାନୀୟ ଜଳ ଓ ପରିଷ୍କାରତା ସାମଗ୍ରୀ ମହଜୁଦ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଓଡ୍ରାଫ୍, ଏନ୍‌ଡିଆରଏଫ୍ ଓ ଅଗ୍ନିଶମ ସେବା ଦଳକୁ ପୂର୍ବରୁ ମୁତୟନ ଓ ସଜ୍ଜ ରଖାଯାଇଥିବା ବେଳେ ଉଦ୍ଧାର ନୌକା, ଲାଇଫ୍ ଜାକେଟ୍ ଓ ପାୱାର ବୋଟ୍ ମଧ୍ୟ ପ୍ରସ୍ତୁତ ରଖାଯାଇଛି।

ଜଳସମ୍ପଦ ବିଭାଗ ପକ୍ଷରୁ ନଦୀ ଓ ଜଳାଶୟର ଜଳସ୍ତର ନିରନ୍ତର ନିରୀକ୍ଷଣ, ସମ୍ବେଦନଶୀଳ ବନ୍ଧ ସ୍ଥାନଗୁଡ଼ିକର ପରୀକ୍ଷା ଏବଂ ଆବଶ୍ୟକସ୍ଥଳେ ନିୟନ୍ତ୍ରିତ ଜଳମୁକ୍ତି ପାଇଁ ସମନ୍ୱୟ କରାଯାଉଛି। ସହରାଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥା ନିରୀକ୍ଷଣ, ନିମ୍ନାଞ୍ଚଳ ଅଣ୍ଡରପାସ୍‌ରେ ଡି-ୱାଟରିଂ ପମ୍ପ ମୁତୟନ ଏବଂ ଆବଶ୍ୟକସ୍ଥଳେ ଟ୍ରାଫିକ୍ ଡାଇଭର୍ସନ୍ ପାଇଁ ମଧ୍ୟ ପ୍ରସ୍ତୁତି ରହିଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ପଞ୍ଚାୟତିରାଜ ଓ ପାନୀୟ ଜଳ, ଶକ୍ତି , ବାଣିଜ୍ୟ ଓ ପରିବହନ, ନିର୍ମାଣ , କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ  ଓ ପଶୁସମ୍ପଦ ବିଭାଗକୁ ମଧ୍ୟ ଆବଶ୍ୟକ ପ୍ରସ୍ତୁତି ସହ ସଜାଗ ରହିବାକୁ କୁହାଯାଇଛି।

ରାଜ୍ୟ ଓ ଜିଲ୍ଲା ସ୍ତରରେ ସ୍ଥିତିର ରିଅଲ୍-ଟାଇମ୍ ନିରୀକ୍ଷଣ କରାଯାଉଥିବା ବେଳେ ଭାରି ବର୍ଷା, ଜଳବନ୍ଦୀ, ଆଶ୍ରୟସ୍ଥଳ, ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ, ଉଦ୍ଧାରକାରୀ ଦଳର ମୁତୟନ ଏବଂ ଜଳାଶୟର ସଂରକ୍ଷଣ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି।

ସୂଚନା ଯୋଗ୍ୟ ଯେ, ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରିଛି। ଆଜି ସକାଳ ୫:୩୦ ଘଣ୍ଟା ସୁଦ୍ଧା ଏହା ଗୋପାଳପୁରଠାରୁ ୧୫୦ କିଲୋମିଟର ଦକ୍ଷିଣ ଦିଗରେ ରହିଛି।

ଏହି ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି

ଆଜି ରାତି ସୁଦ୍ଧା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ, କଳିଙ୍ଗପଟ୍ଟଣମ ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ଏଥିପାଇଁ ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୫୦-୬୦ କିମି ବେଗରେ ପବନ ଏବଂ ଝଟକା ପବନ ଘଣ୍ଟା ପ୍ରତି ୭୦ କିମି ପର୍ଯ୍ୟନ୍ତ ହୋଇପାରେ।

ସେହିପରି, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର ଓ ବୌଦ୍ଧ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Post Views: 11
Share197Tweet123Send
Voice of Victims

Voice of Victims

Recent Posts

  • ଗୀତା ପରିବାର ପକ୍ଷରୁ ସମ୍ପୂର୍ଣ୍ଣ ଗୀତା ପାରାୟଣ
  • ରାଜ୍ୟରେ ଗଭୀର ଅବପାତ ଜନିତ ବର୍ଷା ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ
  • “ଜ୍ଞାନେଶ କୁମାରଙ୍କୁ ଗିରଫ କରାଯିବା ଉଚିତ”: ଇସି ବିବାଦ ଉପରେ ମମତା ବାନାର୍ଜୀଙ୍କ ଦାବି
  • ଆମେରିକା ଗସ୍ତରେ ଯିବେ ସି ଜିନପିଙ୍ଗ୍, ସ୍ୱାଗତ କରିବେ ଟ୍ରମ୍ପ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In