ରଣପୁର: ପାଖେଇ ଆସୁଛି ଦୁର୍ଗା ପୂଜା । ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ବିଭିନ୍ନ ସାହିରେ ପୂଜା ପାଇଁ ମୂର୍ତ୍ତି ସାଙ୍ଗକୁ ତୋରଣ ନିର୍ମାଣ ଯୋଜନା ଆରମ୍ଭ ହୋଇସାରିଛି। କିନ୍ତୁ ସଞ୍ଜ ନଇଁଲେ ରଣପୁର ତଳ ସଡ଼କରେ ରାଜୁତି କରୁଛି ଅନ୍ଧକାର । ରାସ୍ତାରେ ଜଳୁନି ଷ୍ଟ୍ରିଟ୍ ଲାଇଟ୍। କେଉଁଠି ବଲ୍ ଫ୍ୟୁଜ୍ ତ କେଉଁଠି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିବାର ସମ୍ଭାବନା ରହିଛି ।
ଏହି ତଳ ସଡ଼କ ଦେଇ ସର୍ବଦା ଭାରୀଯାନ ସହିତ ଅନେକ କାର୍ ଓ ଦୁଇ ଚକିଆ ଯାନ ଯିବା ଆସିବା କରିଥାଏ। ସହର ଭିତର ବଜାର ଓ ଟ୍ରାଫିକ ସମସ୍ୟାରୁ ରକ୍ଷା ପାଇବା ପାଇଁ ଏହା ଏକ ଭଲ ବିକଳ୍ପ ରାସ୍ତା। ଅନ୍ଧକାର ପାଇଁ ଅନେକ ସମୟରେ ଅପରାଧିକ କାର୍ଯ୍ୟକଳାପ ବଢ଼ିବା ସାଙ୍ଗକୁ ନିସାଡ଼ି ମାନଙ୍କ ଚରାଭୂଇଁ ପାଲଟିଛି। ଛୋଟ ବଡ ଦୁର୍ଘଟଣା ବି ଘଟୁଥିବାର ଅଭିଯୋଗ ହୋଇଛି । ତୁରନ୍ତ ଷ୍ଟ୍ରିଟ୍ ଲାଇଟ୍ ମରାମତି ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି। ଷ୍ଟ୍ରିଟ୍ ଲାଇଟ୍ ସମସ୍ୟାର ସମାଧାନ ତୁରନ୍ତ କରାଯିବ ବୋଲି ସ୍ଥାନୀୟ ପ୍ରଶାସନ ପ୍ରକାଶ କରିଛନ୍ତି।
