କୁମ୍ଭାରମୁଣ୍ଡା: ଗାନ୍ଧିଜୀଙ୍କ ଗ୍ରାମ ସ୍ୱରାଜ, ସ୍ୱାବଲମ୍ବନ ଓ ଗ୍ରାମୀଣ ଅର୍ଥନୀତିର ବିକାଶର ଚିନ୍ତାଧାରାକୁ ଅପହଞ୍ଚ ଅଞ୍ଚଳରେ ପହଞ୍ଚାଇବା ଉଦ୍ଦେଶ୍ୟରେ କୁମ୍ଭାରମୁଣ୍ଡାଠାରେ ଗଣ୍ଡ ଆଦିବାସୀ ସମ୍ପ୍ରଦାୟର ମହିଳାମାନଙ୍କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।
ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ଏହି ସଭାରେ ‘ୟାର’ର ପ୍ରତିଷ୍ଠାତା ରଣଜିତ ପଟ୍ଟନାୟକ ଯୋଗଦେଇ ଗାନ୍ଧିଜୀଙ୍କ ଚିନ୍ତାଧାରା, ଗ୍ରାମୀଣ ଅର୍ଥନୀତି ଓ ମହିଳା ସଶକ୍ତୀକରଣ ସମ୍ପର୍କରେ ଆଲୋକପାତ କରିଥିଲେ। ଆଦିବାସୀ ମହିଳାମାନେ ନିଜସ୍ୱ ଉଦ୍ୟମ ଓ ସ୍ଥାନୀୟ ସମ୍ବଳର ସୁବିନିଯୋଗ ମାଧ୍ୟମରେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।
‘ୟାର’ର ଉପସଭାପତି ତଥା ସମାଜସେବୀ ସୁଧାଂଶୁ ଶେଖର ପ୍ରଧାନ ଯୋଗଦେଇ ଗାନ୍ଧିଜୀ ୧୯୩୪ ମସିହା ମଇ ୫ ତାରିଖରେ ବାମୁରଠାରେ ରାତ୍ରିଯାପନ କରିଥିବା ଐତିହାସିକ ଘଟଣାର ସ୍ମୃତିଚାରଣ କରିଥିଲେ। ଗାନ୍ଧିଜୀଙ୍କ ଆଦର୍ଶକୁ ଗ୍ରାମୀଣ ଓ ଆଦିବାସୀ ସମାଜର ଉନ୍ନତି ସହ ଯୋଡ଼ିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଅନ୍ୟତମ ସାଥୀ ସଂଜିତ ପଟ୍ଟନାୟକ ଗୋପାଳନ ଓ ଛେଳି ପାଳନ ଭଳି ଜୀବିକାଭିତ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ମହିଳାମାନଙ୍କ ଆୟ ବୃଦ୍ଧି ଓ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ସମ୍ଭବ ବୋଲି କହିଥିଲେ। ‘ସ୍ମାଇଲ’ ସଂଗଠନର ସଂଯୋଜକ ଭାବେ ଏ ଦିଗରେ ନୂତନ ପ୍ରୟାସ ଜାରି ରଖିବାକୁ ସେ ଆହ୍ୱାନ ଦେଇଥିଲେ।
‘ଭିନ୍ଦି ଫାଉଣ୍ଡେସନ’ରୁ ଯୋଗଦେଇଥିବା ପ୍ରିୟା ବର୍ମା ଆଦିବାସୀ ମହିଳାମାନଙ୍କ ପାଇଁ ପାଞ୍ଚଦିନିଆ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ତାଲିମ ମାଧ୍ୟମରେ ମହିଳାମାନଙ୍କୁ ଜୀବିକା ବିକାଶ ଓ ଆର୍ଥିକ ସ୍ୱାବଲମ୍ବନ ପାଇଁ ଆବଶ୍ୟକ ଦକ୍ଷତା ପ୍ରଦାନ କରାଯିବ।
କାର୍ଯ୍ୟକ୍ରମରେ ମମତା ନାୟକ ସ୍ଥାନୀୟ ମହିଳାମାନଙ୍କୁ ସଂଗଠିତ କରିବାରେ ସହଯୋଗ କରିଥିଲେ। ଆଦିବାସୀ ମହିଳାଙ୍କ ସାମାଜିକ ଓ ଆର୍ଥିକ ସଶକ୍ତୀକରଣ ସହିତ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଏଭଳି ପ୍ରୟାସ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଆୟୋଜକମାନେ ପ୍ରକାଶ କରିଥିଲେ।
