ସୀମାନ୍ତ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦାଦାଗିରି ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ଘଟଣାକୁ ନେଇ ରାଜ୍ୟ ରାଜନୀତି ଗରମ ହୋଇଉଠିଛି ।କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ଘଟଣାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଭକ୍ତ ଚରଣ ଦାସ ତୀବ୍ର ନିନ୍ଦା କରିଛନ୍ତି।
ଭକ୍ତ ଦାସ ଅଭିଯୋଗ କରିଛନ୍ତି, ଆନ୍ଧ୍ରପ୍ରଦେଶ ସରକାର ସବୁବେଳେ କୋଟିଆ ମଧ୍ୟରେ ଅନୁପ୍ରବେଶ କରି ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥାରେ ବିଭ୍ରାଟ ସୃଷ୍ଟି କରୁଛନ୍ତି। ଯେ ଯାଏ ସଠାରେ ଆମ ରାଜ୍ୟବାସୀଙ୍କୁ ସେମାନେ ବିଭିନ୍ନ ଭତ୍ତା ଓ ଅନ୍ୟ ସୁବିଧାସୁଯୋଗ ଦେଉଥିଲେ, ସେ ଯାଏ ‘ଆମ ଲୋକ ତ ପାଉଛନ୍ତି’ ନ୍ୟାୟରେ ଯଦି ପ୍ରଶାସନର କେହି ପ୍ରତିକ୍ରିୟା ପ୍ରକାଶ କରୁ ନ ଥିଲେ, ତାହା ବୁଝିହେଉଛି। ତେବେ ସେଥିରେ ଥିବା ଆନ୍ଧ୍ରର ପ୍ରଚ୍ଛନ୍ନ ଉଦ୍ଦେଶ୍ୟକୁ ଓଡ଼ିଶା ସରକାର ବୁଝି ନ ପାରିବା ପରିତାପର ବିଷୟ।
ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, କୋଟିଆ ଅଞ୍ଚଳ ଓଡ଼ିଶାର ହୋଇଥିବା ସତ୍ତ୍ବେ ଏଠାରେ ପଞ୍ଚାୟତ ନିର୍ବାଚନ ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି। ଆନ୍ଧ୍ରର ବିଜ୍ଞପ୍ତି ପ୍ରକାଶ ପାଇବା ମାତ୍ରେ ଓଡ଼ିଶା ସରକାର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହାକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଉଚିତ ଥିଲା।
ଅସ୍ମିତାର ଦୋହି ଦେଇ ସରକାରକୁ ଆସିଥିବା ବିଜେପି ଦଳ ଏ ପ୍ରସଙ୍ଗରେ ତୁପ୍ କାହିଁକି?” ବୋଲି ପ୍ରଶ୍ନ କରି ଭକ୍ତ ଦାସ କହିଛନ୍ତି ଯେ, ପୂର୍ବରୁ ଆନ୍ଧ୍ରର ହସ୍ତକ୍ଷେପ ବେଳେ ବିଜେଡି ଶୋଇଥିଲା ଏବଂ ଏବେ ବିଜେପି ନୀରବ ଅଛି । ଆନ୍ଧ୍ର ସରକାରଙ୍କ ଏହି ସାମ୍ବିଧାନିକ ଉଲ୍ଲଂଘନକୁ କଂଗ୍ରେସ ଦଳ କଦାପି ବରଦାସ୍ତ କରିବ ନାହିଁ । ଓଡ଼ିଶାର ମାଟିର ସୁରକ୍ଷା ପାଇଁ ରାଜ୍ୟ ସରକାର ତୁରନ୍ତ କେନ୍ଦ୍ର ସରକାରଙ୍କ ସହ ମିଶି ଦୃଢ଼ ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।
ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ଭକ୍ତ ଦାସ ନିମ୍ନଲିଖିତ ଦାବିଗୁଡ଼ିକ ଉପସ୍ଥାପନ କରିଛନ୍ତି:
ଆନ୍ଧ୍ରର ବିଜ୍ଞପ୍ତି ରଦ୍ଦ: ଆନ୍ଧ୍ରପ୍ରଦେଶ ସରକାରଙ୍କ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତିକୁ ତୁରନ୍ତ ରଦ୍ଦ କରିବା ପାଇଁ ଓଡ଼ିଶା ସରକାର ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ।
ଉଚ୍ଚସ୍ତରୀୟ ଆଲୋଚନା: ମାନ୍ୟବର ମୁଖ୍ୟମନ୍ତ୍ରୀ କିମ୍ବା ରାଜସ୍ୱ ମନ୍ତ୍ରୀ ନିଜେ ତୁରନ୍ତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କ ସହ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା କରନ୍ତୁ।
ସ୍ଥାୟୀ ସମାଧାନ: କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଜରିଆରେ କୋଟିଆ ସୀମା ବିବାଦର ଏକ ସ୍ଥାୟୀ ସମାଧାନ କରାଯାଉ, ଯଦ୍ବାରା ଆନ୍ଧ୍ରର ବାରମ୍ବାର ହସ୍ତକ୍ଷେପ ବନ୍ଦ ହୋଇପାରିବ।
କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହାର ସୁରକ୍ଷା ପାଇଁ କଂଗ୍ରେସ ଦଳ ସର୍ବଦା ଓଡ଼ିଶାବାସୀଙ୍କ ସହ ଛିଡ଼ା ହୋଇଛି ବୋଲି ଭକ୍ତ ଚରଣ ଦାସ ପ୍ରକାଶ କରିଛନ୍ତି।
