ପୁରୀ (ଭିଓଭି): ସୁଲେଖା ସାହିତ୍ୟ ପତ୍ରିକାର 46 ତମ ବାର୍ଷିକ ଉତ୍ସବ ଅବସରରେ ଏକ କବି ଲେଖକ ସମ୍ମେଳନ, ଆଲୋଚନା ଚକ୍ର ଓ ସମ୍ମାନ ପ୍ରଦାନ ସମାରୋହ ପୁରୀ ଚକ୍ରତୀର୍ଥରୋଡ ସ୍ଥିତ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସାହିତ୍ୟ ଏକାଡେମୀ ସହଭାଗିତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ “ଓଡ଼ିଆ ଭାଷା ସାହିତ୍ୟର ବିକାଶ ଓ ପ୍ରସାରରେ ସାହିତ୍ୟ ସଂଗଠନ ଓ ପତ୍ରପତ୍ରିକାର ଭୂମିକା” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସଂଗଠନର ଉପଦେଷ୍ଟା ଶ୍ରୀଯୁକ୍ତ ବ୍ରଜକିଶୋର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଗଭୀର ଚିନ୍ତା ପ୍ରକଟ କରିଥିଲେ। ନିଜର ପିଲା ମାନଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ବା ବିଭିନ୍ନ ଭାଷାରେ ନିଜ ପିଲାର ଦକ୍ଷତା ବୃଦ୍ଧି ପାଇଁ ପିଲାକୁ ଇଂଲିସ୍ ମିଡିୟମ ସ୍କୁଲରେ ପାଠ ପଢାଇ ପାରନ୍ତି, କିନ୍ତୁ ଏଥି ସହିତ ନିଜ ମାତୃଭାଷାରେ ବି ପିଲାର ଦକ୍ଷତା ବଢାଇବା ଦରକାର। କାରଣ ଆଜି ଦୁନିଆରେ ଯେଉଁ ବି ଦେଶ ହେଉ କି ଜାତି ହେଉ ନିଜ ମାତୃଭାଷା କୁ ଛୋଟ କରି କେହି କେବେ ଉଚ୍ଚ କୁ ଉଠିନାହିଁ ବୋଲି ସେ ତାଙ୍କର ମର୍ମସ୍ପର୍ଶୀ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ।

ଏହି ଅବସରରେ କଟକ ବିରିବାଟିର ବିଶିଷ୍ଟ ଇଲେକ୍ଟ୍ରୋହୋମିଓପାଥିକ ଚିକିତ୍ସକ ତଥା କବି ଡାଃ କମଳାକାନ୍ତ ନାୟକଙ୍କୁ “ସୁଲେଖା ସାରତତ୍ତ୍ଵ ସମ୍ମାନ ଏବଂ ଶକୁନ୍ତଳା ମହାପାତ୍ର ସ୍ମୃତିସମ୍ମାନ” ରେ ସମ୍ମାନିତ କରାଯାଇଥିଲା। ଏଥି ସହିତ ଓଡ଼ିଆ ଭାଷା ଗବେଷଣା ଏବଂ ସାହିତ୍ୟ କ୍ଷେତ୍ରରେ ଅବଦାନ ରଖିଥିବା ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଶ୍ଵ ବିଦ୍ୟାଳୟର କୁଳପତି ତଥା ସଂସ୍କୃତି ବିଶ୍ୱବିଦ୍ୟାଳୟ ର ଭାରପ୍ରାପ୍ତ କୁଳପତି ଶ୍ରୀଯୁକ୍ତ ସତ୍ୟ ନାରାୟଣ ଆଚାର୍ଯ୍ୟ ବିଶିଷ୍ଟ ଅତିଥି ଭାବେ ଯୋଗଦାନ କରିଥିଲେ। ସଂଗଠନର ସମ୍ପାଦକ ସଦାଶିବ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରାଉରକେଲା ର ପ୍ରସନ୍ନ କୁମାର ମହାପାତ୍ର ଏହାର ପ୍ରାୟୋଜକ ଏବଂ ସୁଲେଖା ସାହିତ୍ୟ ସଂସଦ ପରିଷଦ, ପୁରୀ ର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
