କୋଲକତା : କୋଲକାତା ବିମାନବନ୍ଦରରେ ଏୟାର ଇଣ୍ଡିଆର ଏକ ବିମାନକୁ ନେଇ ହାଇଜାକ୍ ଆଲର୍ଟ ଜାରି । ବୁଧବାର ସକାଳେ କୋଲକାତାରୁ ମୁମ୍ବାଇ ଯିବାକୁ ଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଧମକ ମିଳିବା ପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଉଡ଼ାଣ ଭରିବାର ଠିକ୍ ପୂର୍ବରୁ ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC)କୁ ହାଇଜାକ୍ ସମ୍ପର୍କିତ ଆଲର୍ଟ ଦେଇଥିଲେ । ଏହାପରେ ବିମାନକୁ ତୁରନ୍ତ ଆଇସୋଲେସନ୍ ବେ କୁ ନିଆଯାଇଥିଲା।
ସୂଚନା ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବିମାନକୁ ଧମକ ମିଳିବା ପରେ SOP ଅନୁଯାୟୀ ବିମାନର ଯାଞ୍ଚ କରାଯାଉଛି । କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୁଧବାର ସକାଳେ ଏକ ହାଇଜାକ୍ ଧମକକୁ ନେଇ ଆତଙ୍କ ସୃଷ୍ଟି ହୋଇଥିଲା । ମୁମ୍ବାଇ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନର ଟଏଲେଟରୁ ମିରରରେ ହାଇଜାକ୍ ମେସେଜ ଲେଖାଯାଇଥିଲା । ଏହାପରେ ପାଇଲଟ୍ ତୁରନ୍ତ ATCକୁ ସୂଚନା ଦେଇଥିଲେ ।
ବିମାନରେ ମୋଟ୍ ୧୪୭ ଜଣ ଯାତ୍ରୀ ରହିଥିଲେ । ଆଲର୍ଟ ମିଳିବା ପରେ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ଏହାପରେ ବିମାନକୁ ଆଇସୋଲେସନ କରାଯାଇ ଯାଞ୍ଚ କରାଯାଉଛି । ଘଟଣା ସ୍ଥଳରେ ସୁରକ୍ଷା ଏଜେନ୍ସୀ ସହିତ ଅଗ୍ନିଶମ ଟିମ୍ ଏବଂ ବୋମା ନିଷ୍କ୍ରିୟ ଟିମ୍ ଯାଞ୍ଚ ପାଇଁ ରହିଛନ୍ତି ।
ଘଟଣା ପରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ଏବଂ ବିମାନବନ୍ଦରର ସ୍ୱତନ୍ତ୍ର ସୁରକ୍ଷା ଅଧିକାରୀମାନେ ବିମାନରେ ଯାଞ୍ଚ ଆରମ୍ଭ କରିଛନ୍ତି । ବିମାନ ଭିତରେ କୌଣସି ସନ୍ଦିଗ୍ଧ ବସ୍ତୁ ରହିଛି କି ନାହିଁ, ସେନେଇ ଯାଞ୍ଚ ଚାଲିଛି । ଏଥିସହ ବିମାନରେ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କ ତାଲିକା ଏବଂ ବିମାନବନ୍ଦର ପରିସର ସହ ବିମାନ ଭିତରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି ।
