ଭୁବନେଶ୍ୱର: (ଭି.ଓ.ଭି): ନୃତ୍ୟସୁଧା ନୃତ୍ୟ ଏକାଡେମୀ, ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଷଷ୍ଠ ନୃତ୍ୟସୁଧା ନୃତ୍ୟ ମହୋତ୍ସବ – ୨୦୨୬ ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର ଠାରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ନୃତ୍ୟସୁଧା ଏକାଡେମୀର କେଶୁରା ଓ ବି.ଜେ.ବି. ନଗର ଶାଖାର ୧୬୦ ଜଣ ନୃତ୍ୟଶିଳ୍ପୀ ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।
ମହୋତ୍ସବର ମୁଖ୍ୟ ଆକର୍ଷଣ ଥିଲା ନୂତନ ନୃତ୍ୟ ନାଟିକା ‘ନବଧା ଭକ୍ତି’। ଏକାଡେମୀର ପ୍ରତିଷ୍ଠାତା ଗୁରୁ ଶଚ୍ଚିକାନ୍ତ ପ୍ରଧାନଙ୍କ ନୃତ୍ୟ ନିର୍ଦ୍ଦେଶନା ଓ ଶ୍ରୀ ଧନୁର୍ଦ୍ଧର ପ୍ରଧାନଙ୍କ ସାହିତ୍ୟ ରଚନାରେ ଭକ୍ତି, ସାହିତ୍ୟ ଓ ନୃତ୍ୟ କଳାର ସୁନ୍ଦର ମିଳନ ଦେଖିବାକୁ ମିଳିଥିଲା। ଏହି ଉପସ୍ଥାପନାକୁ ଉପସ୍ଥିତ ଅତିଥିମାନେ ଭୂରି ଭୂରି ପ୍ରଶଂସା କରିଥିଲେ।

ଏହି ଅବସରରେ ଓଡ଼ିଶୀ ନୃତ୍ୟ ପାଇଁ ଗୁରୁ ନିରଞ୍ଜନ ରାଉତ ଏବଂ ଓଡ଼ିଶୀ ସଙ୍ଗୀତ ପାଇଁ ଗୁରୁ ଧନେଶ୍ୱର ସ୍ୱାଇଁଙ୍କୁ ନୃତ୍ୟସୁଧା ସମ୍ମାନ ୨୦୨୬ ପ୍ରଦାନ କରାଯାଇଥିଲା। ଶ୍ରୀମତୀ କିରଣ ମାଝୀଙ୍କୁ ନୃତ୍ୟ ଊର୍ମିମାଳା ସମ୍ମାନ ୨୦୨୬ ପ୍ରଦାନ କରାଯାଇଥିଲା। ମହୋତ୍ସବରେ ଗୁରୁ ଡଃ ବିଜୟ କୁମାର ଜେନା, ଗୁରୁ ଲକ୍ଷ୍ମୀକାନ୍ତ ପାଲିତ, ଗୁରୁ ଡଃ ମନୋରଞ୍ଜନ ପ୍ରଧାନ ଏବଂ ଶ୍ରୀମତୀ କୃଷ୍ଣପ୍ରିୟା ମିଶ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ, ଓ ଅଭିଭାବକ ଉପସ୍ଥିତ ଥିଲେ ।
