ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ ବିସ୍ଫୋରକ ଓପ୍ନର୍ ଟ୍ରାଭିସ୍ ହେଡ୍ ଆଇପିଏଲ୍ ୨୦୨୭ ସିଜନରୁ ଓହରି ଯାଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଏବଂ କାର୍ଯ୍ୟଭାର ହ୍ରାସ କରିବା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି, ଯାହାଫଳରେ ସନ୍ରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ପାଇଁ ଏକ ବଡ଼୍ କ୍ଷତି ହୋଇଛି ଏବଂ ପ୍ରସିଦ୍ଧ ‘ଟାଭିଶେକ୍’ ଯୋଡ଼ି ମଧ୍ୟ ଭାଙ୍ଗିଯାଇଛି। ଅଷ୍ଟ୍ରେଲୀୟ ଓପ୍ନର୍ ଟ୍ରାଭିସ୍ ହେଡ୍ ଆଇପିଏଲ୍ ୨୦୨୭ରେ ଖେଳିବେ ନାହିଁ। ସେ ସନ୍ରାଇଜର୍ସ ହାଇଦ୍ରାବାଦକୁୂ ଆଗାମୀ ସିଜନ୍ରୁ ଓହରିବା ସୂଚନା ପ୍ରଦାନ କରିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ଫଳରେ ଟିମ୍ର ପ୍ରସିଦ୍ଧ ଓପ୍ନିଂ ଯୋଡ଼ି ‘ଟାଭିଶେକ୍’ (ଟ୍ରାଭିସ୍ ହେଡ୍ ଓ ଅଭିଷେକ ଶର୍ମା) ଭାଙ୍ଗିଯିବ।
କ୍ରିକ୍ଇନ୍ଫୋ ରିପୋର୍ଟ ଅନୁସାରେ ହେଡ୍ ବ୍ୟସ୍ତ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ମଧ୍ୟରେ ନିଜର ୱାର୍କଲୋଡ୍ କମ୍ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ଆଗାମୀ ସିଜନ୍ ପାଇଁ ସମସ୍ତ ଟିମ୍ଙ୍କୁ ରିଟେନ୍ ଏବଂ ରିଲିଜ୍ କରାଯିବାକୁ ଥିବା ଖେଳାଳିଙ୍କ ତାଲିକା ପ୍ରଦାନ କରିବାକୁ ସମୟ ଦିଆଯାଇଥିଲା। ହେଡ୍ ହଟିବା ପରେ ଆଇପିଏଲ୍ ମଞ୍ଜୁରୀ ମିଳିଲେ ହାଇଦ୍ରାବାଦର ଅକ୍ସନ୍ ପର୍ସରେ ୧୪ କୋଟି ଟଙ୍କା ଯୋଡ଼ି ହୋଇଯିବ। ଆଇପିଏଲ୍ ୨୦୨୭ ଅକ୍ସନ୍ ଡିସେମ୍ବର ୧୬ ତାରିଖରେ ଗୋଆରେ ହେବାର କାର୍ଯ୍ୟକ୍ରମ ରହିଛି।
ହେଡ୍ଙ୍କ ଏହି ନିଷ୍ପତ୍ତି ସେପରି ଚକିତ ହେବାର କିଛି ନାହିଁ। ଚଳିତ ବର୍ଷ ଅଗଷ୍ଟରେ ଅଷ୍ଟ୍ରେଲିଆ ମୁଖ୍ୟ କୋଚ୍ ଆଣ୍ଡ୍ର୍ୟୁ ମ୍ୟାକ୍ଡୋନାଲଲ୍ଡ ସଙ୍କେତ ଦେଇଥିଲେ ଯେ ୨୦୨୭ରେ ଟିମ୍ର ବ୍ୟସ୍ତ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଖେଳାଳିମାନଙ୍କୁ କେତେକ କଡ଼ା ନିଷ୍ପତ୍ତି ନେବାକୁ ପଡ଼ିପାରେ। ୨୦୨୭ରେ ଅଷ୍ଟ୍ରେଲିଆକୁ ୨୦ ଟେଷ୍ଟ୍ ମ୍ୟାଚ୍ ଖେଳିବାର ଅଛି। ଏହା ବ୍ୟତୀତ ଜୁନ୍ରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ରହିଛି। ଏହାପରେ ଜୁନ୍ରୁ ଅଗଷ୍ଟ ପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷ ଆଶେସ୍ ସିରିଜ୍ ଏବଂ ଅକ୍ଟୋବର-ନଭେମ୍ବରରେ ଦିନିକିଆ ବିଶ୍ୱକପ୍ ଖେଳାଯିବ। ଏହି ବ୍ୟସ୍ତ କାର୍ଯ୍ୟକ୍ରମ ଫଳରେ ହେଡ୍ ଆଇପିଏଲ୍ରୁ ବ୍ରେକ୍ ନେବାକୁ ସ୍ଥିର କରିଛନ୍ତି।
