ପୁରୀ (ଭିଓଭି): (୨୩/୧୧) : ଓଡ଼ିଶାର ଏକମାତ୍ର ଶିଶୁ ସମ୍ବାଦପତ୍ର ‘ଶିଶୁ ସମାଚାର’ ପକ୍ଷରୁ ବିଶ୍ୱ ଶିଶୁ ଅଧିକାର ଦିବସ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଶିଶୁ ସମାଚାରର ଉପଦେଷ୍ଟା ତଥା ପୁରୀ ଜିଲ୍ଲା ବାର୍ ଆସୋସିଏସନ୍ର ସମ୍ପାଦକ ଶରତ ଚନ୍ଦ୍ର ରାୟଗୁରୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ ମୁଖ୍ୟ ଅତିଥି ଏବଂ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ସୌଭାଗ୍ୟ କୁମାର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଡ. ସାହୁ ନିଜ ବକ୍ତବ୍ୟରେ ଶିଶୁମାନେ ଦେଶର ଭବିଷ୍ୟତ ହୋଇଥିବାରୁ ସେମାନଙ୍କ ଅଧିକାର, ସୁରକ୍ଷା ଓ ସାମଗ୍ରିକ ବିକାଶ ପ୍ରତି ସମାଜର ପ୍ରତ୍ୟେକ ବର୍ଗ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ। ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟି, ସୁରକ୍ଷା ଓ ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର ମିଳିବା ଉଚିତ। ଶିଶୁମାନଙ୍କୁ କେବଳ ଭବିଷ୍ୟତର ନାଗରିକ ଭାବେ ନୁହେଁ, ବରଂ ବର୍ତ୍ତମାନ ସମାଜର ଜଣେ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଗ୍ରହଣ କରି ସେମାନଙ୍କ ମତାମତ ଓ ଭାବନାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଶିଶୁ ପ୍ରତିନିଧି ମୋନାଲିସା ରାଉତ, ଆଇ.ଏମ୍.ଟି. ଫାର୍ମାସି ମହାବିଦ୍ୟାଳୟର ପ୍ରଶାସନିକ ନିର୍ଦ୍ଦେଶକ ମନୋଜ ରଥ, ପ୍ରାକ୍ତନ ଶିଶୁ ମଙ୍ଗଳ ଅଧିକାରୀ ତଥା ଦ ବେଲର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ଏବଂ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ସାହୁ ଯୋଗଦେଇଥିଲେ।
ଏହି ଅବସରରେ ଆୟୋଜିତ ବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। କନିଷ୍ଠ ବିଭାଗରେ ବ୍ଲେସଡ୍ ସାକ୍ରାମେଣ୍ଟ ହାଇସ୍କୁଲର ଭାଗ୍ୟଶ୍ରୀ ପଟ୍ଟନାୟକ ପ୍ରଥମ, ପିଏମ୍ ଶ୍ରୀ ବିଶ୍ୱମ୍ବର ବିଦ୍ୟାପୀଠର ଋଷଭଦେବ ରଥ ଓ ଭାରତ ସେବାଶ୍ରମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଯାଜ୍ଞସେନୀ ବେହେରା ଯୁଗ୍ମ ଭାବେ ଦ୍ୱିତୀୟ ଏବଂ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଅମ୍ରିତା ପ୍ରିୟଦର୍ଶିନୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ବରିଷ୍ଠ ବିଭାଗରେ ଡିଏଭି ପବ୍ଲିକ୍ ସ୍କୁଲର ଶ୍ରେୟା ଭୂୟାଁ ପ୍ରଥମ, ପିଏମ୍ ଶ୍ରୀ ବିଶ୍ୱମ୍ବର ବିଦ୍ୟାପୀଠର ଅର୍ପିତା ପ୍ରିୟଦର୍ଶିନୀ ଦ୍ୱିତୀୟ ଏବଂ ଶ୍ୱେତପଦ୍ମା ଦାଶ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଡ. ବିଶ୍ୱନାଥ ରଥଙ୍କ ସ୍ମୃତିରେ ଏହି ପ୍ରତିଯୋଗିତା ଓ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଶିଶୁ ଅଧିକାର ଓ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରୀ ନୃସିଂହଦେବ ଆଞ୍ଚଳିକ ଯୁବ ପରିଷଦର ସମ୍ପାଦିକା ମମତା ମିଶ୍ରଙ୍କୁ ‘ଶିଶୁ ସୁରକ୍ଷା ଉତ୍କର୍ଷତା ସମ୍ମାନ’ ପ୍ରଦାନ କରାଯାଇଥିଲା।
ପ୍ରାରମ୍ଭରେ ଶିଶୁ ସମାଚାରର ସମ୍ପାଦକ ସୁକାନ୍ତ ପଣ୍ଡା ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ପ୍ରାରମ୍ଭିକ ସୂଚନା ଦେଇଥିଲେ। ପରିଚାଳନା କମିଟିର ସଦସ୍ୟ ତଥା ଶିକ୍ଷାବିତ୍ ଶିବସୁନ୍ଦର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କିଶୋର ଚନ୍ଦ୍ର ଦାସ ଓ ବନିତା ଦୀକ୍ଷିତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ପୁରୀର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ଯୋଗଦେଇଥିଲେ।
