ରଣପୁର: ଗତକାଲି ନୟାଗଡ଼ ଜିଲ୍ଲା ହକି ଆସୋସିଏସନ୍ର କାର୍ଯ୍ୟକାରୀ ସମିତି ନିର୍ବାଚନ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ମଣ୍ଡଳୀ ଗଠିତ ହୋଇଛି।
ଏହି ନିର୍ବାଚନରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ରଙ୍ଗୀନ୍ ମହାନ୍ତି ଜିଲ୍ଲା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରକାଶ ଥାଉକି ହକି କ୍ରୀଡ଼ାର ବିକାଶ, ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହନ ସହିତ ରଣପୁର ଗଡ଼ରେ କ୍ରୀଡ଼ା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ ତାଙ୍କର ଯଥେଷ୍ଟ ଅବଦାନ ସହିତ ସମ୍ପୃକ୍ତି ରହିଥିଲା।
ଜିଲ୍ଲାରେ ହକି କ୍ରୀଡ଼ା, ଖେଳ ପଡ଼ିଆର ଭିତ୍ତିଭୂମି ସହିତ ଖେଳାଳି ମାନଙ୍କ ପାଇଁ ଏହି ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ ସେ ଯଥେଷ୍ଟ ଧ୍ୟାନ ଦେବା ସହିତ ସମସ୍ତ ନିର୍ବାଚିତ ସଦସ୍ୟ ମାନଙ୍କ ସହଯୋଗରେ ନୟାଗଡ ଜିଲ୍ଲାକୁ ଏକ ନୂତନ ଦିଗ ଦେବା ପାଇଁ ପ୍ରୟାସ ଜାରି ରଖିବେ ବୋଲି ରଙ୍ଗିନ ମହାନ୍ତି ପ୍ରକାଶ କରିଛନ୍ତି। ତାଙ୍କର ଏହି ନିଯୁକ୍ତିକୁ ନେଇ ରଣପୁର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଅନେକ ବୁଦ୍ଧିଜୀବୀ ଓ କ୍ରୀଡ଼ାବିତ୍ ମାନେ ରଙ୍ଗୀନ୍ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
