• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଛଅଟି ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

by Voice of Victims
April 23, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଛଅଟି ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀଠାରେ ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଉକ୍ତ ଛଅଟି ଜିଲ୍ଲା ଅଧିନରେ ଆସୁଥିବା ସମସ୍ତ ସଂସଦୀୟ ନିର୍ବାଚନ କ୍ଷେତ୍ର ଓ ବିଧାନସଭା ନିର୍ବାଚନ କ୍ଷେତ୍ରରେ ନିର୍ବାଚନ ପ୍ରସ୍ତୁତି ବିଷୟରେ ବ୍ୟାପକ ଆଲୋଚନା ହୋଇଥିଲା। ସମୀକ୍ଷା ବୈଠକ ପ୍ରାରମ୍ଭରେ ଦେଶରେ ମୁକ୍ତ, ଅବାଧ, ସ୍ୱଚ୍ଛ, ନିରପେକ୍ଷ, ଶୃଙ୍ଖଳାଯୁକ୍ତ, ତ୍ରୁଟିଶୂନ୍ୟ ତଥା ସମସ୍ତଙ୍କ ଅଂଶଗ୍ରହଣରେ ପରିପୁଷ୍ଟ ଭାରତୀୟ ଗଣତନ୍ତ୍ରର ମହାନ ପର୍ବ ‘ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪’କୁ ଓଡ଼ିଶାରେ ସବୁମତେ ସଫଳ କରାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଙ୍ଗୀକାରବଦ୍ଧତା ବିଷୟରେ ସ୍ପଷ୍ଟ ମତ ରଖିଥିଲେ। ଏହି ବୈଠକରେ ୬ଟି ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନେ ପିପିଟି ପ୍ରେଜେଣ୍ଟେସନ୍‌ ମାଧ୍ୟମରେ ସଂପୃକ୍ତ ଜିଲ୍ଲାଗୁଡ଼ିକର ନିର୍ବାଚନ ପ୍ରସ୍ତୁତି ବିଷୟରେ ସବିଶେଷ ତଥ୍ୟ ରଖିଥିଲେ। ସେସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।
ସେହିପରି ଏହି ଛଅଟି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ମଧ୍ୟ ପିପିଟି ପ୍ରେଜେଣ୍ଟେସନ୍‌ ମାଧ୍ୟମରେ ନିଜ ନିଜ ଜିଲ୍ଲାର ଆଇନଶୃଙ୍ଖଳାଜନିତ ପ୍ରସ୍ତୁତି, ଜବତ ବ୍ୟବସ୍ଥା, ଯାଞ୍ଚ ବ୍ୟବସ୍ଥା ବିଷୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମୁଖରେ ସମସ୍ତ ତଥ୍ୟ ରଖିଥିଲେ। ଏହି ସମସ୍ତ ତଥ୍ୟର ତର୍ଜମା କରି ମୁଖ୍ୟ ନିର୍ବାଚନ ଅଧିକାରୀ ବୁଥ୍‌ସ୍ତରରୁ ତ୍ରୁଟିଶୂନ୍ୟ ନିର୍ବାଚନ ପରିଚାଳନା କରିବା ପାଇଁ ଉପସ୍ଥିତ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ, ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବରିଷ୍ଠ ପୋଲିସ ଅଧିକାରୀ ଓ ରିଟର୍ଣ୍ଣିଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଦର୍ଶ ନିର୍ବାଚନ ପରିଚାଳନା ପାଇଁ ସି-ଭିଜିଲ୍‌, ସୁବିଧା ପୋର୍ଟାଲ, ଏନ୍‌କୋର୍‌ ନୋଡ଼ାଲ ଆପ୍‌ର ବ୍ୟବହାର ସହ ଭିନ୍ନକ୍ଷମ ଭୋଟର ଓ ବୟୋଜେଷ୍ଠ ଭୋଟରଙ୍କ ସୁବିଧା, ପୋଷ୍ଟାଲ ବାଲାଟ୍‌, ନିର୍ବାଚନ ଆଚରଣ ବିଧିର ଯଥାର୍ଥ ଅନୁପାଳନ ଉପରେ ଦୃଷ୍ଟି ରଖିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଥିଲେ। ମହିଳା ଓ ଯୁବ ଭୋଟରମାନଙ୍କୁ ମତଦାନ ପାଇଁ ଉତ୍ସାହିତ କରିବାକୁ ଶ୍ରୀ ଧଳ ପରାମର୍ଶ ଦେଇଥିଲେ। ନିର୍ବାଚନକୁ ଦେଶର ସର୍ବବୃହତ୍‌ ପର୍ବ ରୂପେ ପାଳନ କରି ଅଧିକରୁ ଅଧିକ ଭୋଟର ଯେପରି ମତଦାନ କରିବେ ସେ ଉପରେ ବିଶେଷ ଆଲୋଚନା ହୋଇଥିଲା। ନିର୍ବାଚନ ପରିଚାଳନାରେ ‘ମତଦାତା’ମାନଙ୍କୁ କେନ୍ଦ୍ରରେ ରଖି ସମସ୍ତ କାର୍ଯ୍ୟ ସଂପାଦନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ ପ୍ରସ୍ତୁତିରେ ଆଇନଶୃଙ୍ଖଳା ଦିଗ ଉପରେ ମଧ୍ୟ ବିଶେଷ ଆଲୋଚନା ହୋଇଥିଲା। ପ୍ରତିଟି ବୁଥ୍‌ ଯେପରି ସୁରକ୍ଷା ବଳୟ ମଧ୍ୟରେ ରହିବ ଓ ଇଭିଏମ୍‌-ଭିଭିପାଟ୍‌ ମତଗଣନା ପର୍ଯ୍ୟନ୍ତ ସଂପୂର୍ଣ୍ଣ ସୁରକ୍ଷା ମଧ୍ୟରେ ରହିବ ସେ ବିଷୟରେ ଆଲୋଚନା ହୋଇଥିଲା। ନିର୍ବାଚନରେ ଆଦର୍ଶ ଆଚରଣ ବିଧିର ଉଚିତ ଅନୁପାଳନ ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ବିଭିନ୍ନ ପ୍ରବର୍ତ୍ତନ ବିଭାଗ ଯଥା-ଅବକାରୀ, ଜିଏସ୍‌ଟି, ପରିବହନ, ଜଙ୍ଗଲ ବିଭାଗ ସମନ୍ୱିତ ଭାବରେ କାର୍ଯ୍ୟ କରିବାକୁ ଶ୍ରୀ ଧଳ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ମଧ୍ୟରେ ଓଡ଼ିଶାରେ ବିନା କୌଣସି ଜନଜୀବନ ହାନିରେ ଉଚ୍ଚ ମତଦାନ ହାରକୁ ବଜାୟ ରଖିବା ସହ ତ୍ରୁଟିଶୂନ୍ୟ ନିର୍ବାଚନ ପ୍ରକ୍ରିୟାର ଆହ୍ୱାନ ବିଷୟରେ ଅବଗତ କରାଇଥିଲେ। ମତଦାନ ଦିବସ ଓ ମତଗଣନା ଦିବସରେ ଯେପରି ଭାବରେ ବିନା କୌଣସି ବାଧାବିଘ୍ନରେ ସମସ୍ତ କାର୍ଯ୍ୟ ସମାପନ ହେବ, ସେଥି ପାଇଁ ବିଭିନ୍ନ ବିଭାଗର ସମନ୍ୱୟ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଜୋର ଦେଇଥିଲେ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ମତଦାନ କେନ୍ଦ୍ରରେ ବିଶେଷ ବ୍ୟବସ୍ଥା କରାଯିବ। ପ୍ରତିଟି ମତଦାନ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ, ମହିଳା ଓ ପୁରୁଷଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ, ଧାଡ଼ିବାନ୍ଧିବା ପାଇଁ ଛାଇ, ଚୌକି ଓ ପ୍ରତୀକ୍ଷା କକ୍ଷର ବ୍ୟବସ୍ଥା ରହିବ। ଏହି ସ୍ଥାନରେ ନିରବଚ୍ଛିନ୍ନ ବିଦୁ୍ୟତ ବ୍ୟବସ୍ଥା ସହ ପଙ୍ଖା ରହିବ। ସମସ୍ତ ମତଦାନ କେନ୍ଦ୍ରରେ ଜଣେ ଲେଖାଏଁ ଆଶା କର୍ମୀ ରହିବେ। ସେମାନଙ୍କ ପାଖରେ ଅଂଶୁଘାତ ମୁକାବିଲା ପାଇଁ ଅତ୍ୟାବଶ୍ୟକ ଔଷଧପତ୍ର ରହିବ। ପ୍ରତିଟି ସେକଫର ଅଫିସରଙ୍କ ସହ ଜଣେ ପାରା-ମେଡ଼ିକାଲ କର୍ମୀ ମଧ୍ୟ ରହିବେ। ଯଦି ଦୈବାତ କେହି ଅଂଶୁଘାତର ଶିକାର ହୁଅନ୍ତି ତେବେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ପହଞ୍ଚାଯିବ। ଏଥି ପାଇଁ ମତଦାନ ଦିବସଗୁଡ଼ିକରେ ଅଧିକ ସଂଖ୍ୟକ ଆମ୍ବୁଲାନ୍ସ ମହଜୁଦ୍‌ ରଖାଯିବ। ସୂଚନା-ଶିକ୍ଷା-ପ୍ରଚାର ମାଧ୍ୟମରେ ଅଂଶୁଘାତ ସତର୍କତା ବାର୍ତ୍ତା ଜନସାଧାରଣଙ୍କ ପାଖକୁ ପହଞ୍ଚାଇ ଦିଆଯିବ। ଏହା ସହ ପ୍ରତିଟି ବୁଥ୍‌ରେ ଜଳଛତ୍ର ଖୋଲାଯିବା ସହିତ ଓଆର୍‌ଏସ୍‌ ଉପଲବ୍ଧ କରାଯିବ। ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରମାନଙ୍କ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ସମୟରେ ସେମାନଙ୍କୁ ଅଂଶୁଘାତ ସମ୍ବନ୍ଧୀୟ ସଚେତନତା ପ୍ରଶିକ୍ଷଣ ଡାକ୍ତରମାନେ ଦେବେ। ଏହି ସମସ୍ତ ବ୍ୟବସ୍ଥା ମାଧ୍ୟମରେ ମତଦାତାମାନଙ୍କୁ ମତଦାନର ଏକ ସ୍ମରଣୀୟ ଅନୁଭବ ଦେବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛି ବୋଲି ଶ୍ରୀ ଧଳ ମତ ଦେଇଥିଲେ। ଏହି କ୍ରମରେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେଉଥିବା ସମସ୍ତ ଅଧିକାରୀଙ୍କ ପାଇଁ ଉଚିତ ବ୍ୟବସ୍ଥା କରାଯିବା ବିଷୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଭିତରେ ମଧ୍ୟ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ସମସ୍ତ ଅଧିକାରୀ ଓ ସୁରକ୍ଷା କର୍ମଚାରୀମାନେ ନିଜ ନିଜର ଦାୟିତ୍ୱ ସଂପାଦନ କରିବାକୁ ଯାଉଛନ୍ତି । ତେଣୁ ସେମାନଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଧଳ କହିଥିଲେ । ସେଥି ପାଇଁ ସେମାନଙ୍କ ରହିବା ବ୍ୟବସ୍ଥା, ଗମନାଗମନ ସୁବିଧା ଓ ଖାଦ୍ୟ ବ୍ୟବସ୍ଥା ବିଷୟରେ ଆଲୋଚନା ହୋଇଥିଲା । ସେମାନେ ଯେପରି ନିର୍ବାଚନ କାର୍ଯ୍ୟ କରିବା ସମୟରେ ଅଂଶୁଘାତର ଶିକାର ନ ହୁଅନ୍ତି ସେଥି ପ୍ରତି ଯନିବାନ ହେବାକୁ ପଡ଼ିବ ବୋଲି ଶ୍ରୀ ଧଳ ମତପ୍ରକାଶ କରିଥିଲେ । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ମହିଳା କର୍ମଚାରୀଙ୍କ ବିଷୟରେ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା । ସମସ୍ତ ବୁଥ୍‌ର ସୁରକ୍ଷା ପାଇଁ ସୁଉଚ୍ଚ ପାଚେରିର ବ୍ୟବସ୍ଥା କରାଯାଇଛି । ଯେଉଁ ବୁଥ୍‌ଗୁଡ଼ିକ ସଖି ବୁଥ୍‌ (ସଂପୂର୍ଣ୍ଣ ରୂପେ ମହିଳା ପରିଚାଳିତ ବୁଥ୍‌) ଭାବେ ଚିହ୍ନଟ କରାଯାଇଛି, ସେଠାରେ ସୁରକ୍ଷା କର୍ମଚାରୀ ମଧ୍ୟ ମହିଳା ରହିବେ । ଓଡ଼ିଶାରେ ନିୟୋଜିତ ନିର୍ବାଚନ କର୍ମଚାରୀଙ୍କ ମଧ୍ୟରେ ପ୍ରାୟ ୩୦% ମହିଳା କର୍ମଚାରୀ ରହିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବହୁଳ ପ୍ରଚେଷ୍ଟାରେ ଭୋଟର ତାଲିକା ପ୍ରତି ୧୦୦୦ ପୁରୁଷ ଭୋଟର ପିଛା ମହିଳା ଭୋଟରଙ୍କ ସଂଖ୍ୟା ୯୬୧ରୁ ୯୭୪କୁ ବୃଦ୍ଧି ପାଇଛି । ଏହା ଏକ ଗୌରବର ବିଷୟ ଓ ମହିଳାମାନେ ଯେପରି ପ୍ରାଥମିକତା ଭିତ୍ତିରେ ମତଦାନ କରିବେ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ଧଳ ପ୍ରକାଶ କରିଥିଲେ । ଏହି ସମସ୍ତ ବ୍ୟବସ୍ଥା ଯେପରି ଉପଯୁକ୍ତ ଭାବରେ ତୃଣମୂଳ ସ୍ତରେ ଲାଗୁହେବ, ସେଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଉପସ୍ଥିତ ସମସ୍ତ ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ । ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅତିରିକ୍ତ ପୋଲିସ ଡିଜି ତଥା ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ ସଂଜୟ କୁମାର, କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ରଞ୍ଜନ କୁମାର ଦାସ, ପୋଲିସ କମିଶନର ସଞ୍ଜୀବ ପଣ୍ଡା, କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ସଂଜୟ କୁମାର କୌଶଲ ଓ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍‌. ତିରୁମାଲା ନାୟକ ମୁଖ୍ୟ ନିର୍ବାଚନ ଅଧିକାରୀ ସହ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମୀକ୍ଷା କରିଥିଲେ । ଏହି ଅବସରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ମହାନ୍ତି ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ଜଗତସିଂହପୁର ଜିଲ୍ଲାପାଳ ଅନୁପମ୍‌ ଶାହା, କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ନୟାଗଡ଼ ଜିଲ୍ଲାପାଳ ସ୍ୱଧାଦେବ ସିଂ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, କଟକ ଜିଲ୍ଲାପାଳ ଅରିନ୍ଦମ୍‌ ଡାକୁଆ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଅବିନାଶ କୁମାର, ଜଗତସିଂହପୁର ଆରକ୍ଷୀ ଅଧୀକ୍ଷକ ରାହୁଲ ପି.ଆର୍‌, କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ, ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ୍‌, ପୁରୀ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

Post Views: 38
Share200Tweet125Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In