ଉମରକୋଟ (ଭିଓଭି) : ଚଳିତ ନିର୍ବାଚନକୁ ଆଖି ଆଗରେ ରଖି ଉମରକୋଟ ବିଧାନସଭା ସିଟ ନିଜ ଅକ୍ତିଆରରେ ନେବା ପାଇଁ ବିଜେଡି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓ ବବି ଦାସଙ୍କ ଅନୁମୋଦନ କ୍ରମେ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନଙ୍କୁ ଉମରକୋଟ ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀମତୀ ଦିଆନ ସମସ୍ତ ନିର୍ବାଚନୀ କାର୍ଯ୍ୟକ୍ରମ ସମୀକ୍ଷା କରିବା ସହ ପ୍ରତ୍ୟେକ ପଞ୍ଚାୟତ ଏବଂ ଭୋଟରଙ୍କ ସହ ମିଶି ସମସ୍ତ କାର୍ଯ୍ୟ ତଦାରଖ କରିବେ। ପୂର୍ଵରୁ ଉକ୍ତ ଆସନ ବିଜେପି କବଜାରେ ରହିଥିବା ବେଳେ ଚଳିତ ନିର୍ବାଚନରେ ବିଜେଡି ହାତକୁ ନେବା ପାଇଁ ରଣନୀତି ତିଆରି କରି ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକୁ ଆଧାର କରି ଜନତାଙ୍କ ପାଖରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଛି। ଅଧିକରୁ ଅଧିକ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ରଣନୀତି ଚଳାଇଛି। ପ୍ରତ୍ୟେକ ବୁଥରେ ପହଞ୍ଚି ସେଠାକାର ଭୋଟର୍ଙ୍କ ମୁଡ୍ ପରଖିବା ଏବଂ ବିଜେଡି ସପକ୍ଷରେ ନେବା ଭଳି ଗୁରୁ ଦାୟିତ୍ୱ ଦଳର ସଭାପତି ପ୍ରଦାନ କରିଛନ୍ତି l ଆଜିଠାରୁ ଶ୍ରୀମତୀ ଦିଆନ ଉମରକୋଟ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି।
