ସତ୍ୟବାଦୀ( ଦୁର୍ଗେଶ ମିଶ୍ର): ଲୋକକଳାଗ୍ରାମ ସାରଙ୍ଗଯୋଡିର ଦୁଇ ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ମା କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟନୃତ୍ୟ ପରିଷଦ ଓ କୈଳାସ ଗୋଟିପୁଅ ଓଡିଶୀ ନୃତ୍ୟ ପରିଷଦଙ୍କ ଆୟୋଜନରେ ସାରଙ୍ଗଯୋଡି ଦୋଳ ମେଳଣର ୨ୟ ଦିବସରେ ସାରଙ୍ଗଯୋଡି ସଂକୀର୍ତ୍ତନ ଓ ଲୋକସଂସ୍କୃତି ମହୋତ୍ସବ-୨୦୨୪ ଅନୁଷ୍ଠିତ ହୋଇଯାଇଅଛି।ପାରମ୍ପରିକ ହରିନାମ ସଂକୀର୍ତ୍ତନ ସହିତ ଶୁଭାରମ୍ଭ କରାଯାଇଥିବା ଏହି ମହୋତ୍ସବରେ ରାଜ୍ୟର ପ୍ରସିଦ୍ଧ ସଂକୀର୍ତ୍ତନ ଗାୟକ ଗୁରୁ ସଦାନନ୍ଦ ପ୍ରଧାନ, ଗୁରୁ ପୂର୍ଣ୍ଣ ଚନ୍ଦ୍ର ବାରିକ ଓ ଗୁରୁ ଜଗନ୍ନାଥ ପାତ୍ର ନିଜ ନିଜ ସାଥୀ ମାନଙ୍କ ସହ ସୁଲଳିତ ସଂକୀର୍ତ୍ତନ ପରିବେଷଣ କରି ପରିବେଶକୁ ପ୍ରେମମୟ କରିଦେଇଥିଲେ।ସନ୍ଧ୍ୟାରେ ଅନୁଷ୍ଠିତ ସାଧାରଣ ସଭାରେ ମୂଖ୍ୟ ଅତିଥି ଭାବେ କେନ୍ଦ୍ର ସଙ୍ଗୀତ ନାଟକ ଆକାଡେମୀ ପୁରସ୍କାର ପ୍ରାପ୍ତ ପ୍ରଖ୍ୟାତ ଗୋଟିପୁଅ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଳ,ମୂଖ୍ୟ ବକ୍ତା ଭାବେ ସାହିତ୍ୟିକ, ଗବେଷକ ତଥା ଅଗ୍ରଣୀ ଜ୍ୟୋତିଷ ବିଶାରଦ ଦେବୀ ପ୍ରସାଦ ମହାପାତ୍ର, ସମ୍ମାନିତ ଅତିଥି ଭାବେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସୁସାହିତ୍ୟିକ ମାନସ ରଞ୍ଜନ ପଟ୍ଟନାୟକ, ପିପିଲି ବ୍ଲକ କଳାସଂସ୍କୃତି ସଂଘ ଉପସଭାପତି ପ୍ରହ୍ଲାଦ ରାଉତ,ନିମାପଡ଼ା ବ୍ଲକ କଳାସଂସ୍କୃତି ସଂଘ ଉପସଭାପତି ପବିତ୍ର ମୋହନ ପ୍ରଧାନ,ସାରଙ୍ଗଯୋଡି ଦେଶକୋଠ ସଭାପତି କେଦାର ନାଥ ମହାପାତ୍ର ଙ୍କ ସହ ଉଭୟ ଆୟୋଜକ ଅନୁଷ୍ଠାନ ସଭାପତି ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ଦେବଦତ୍ତ ପ୍ରଧାନ ଯୋଗଦେଇ ସମବେତ ଜନତାଙ୍କୁ ସମ୍ବୋଧିତ କରିଥିଲେ।ଉଭୟ ଅନୁଷ୍ଠାନର ପ୍ରତିଷ୍ଠାତା ବର୍ଷୀୟାନ ସଂକୀର୍ତ୍ତନ ଓ ଲୋକକଳା ଗୁରୁ କୁଳମଣି ବିଶ୍ଵାଳ ସଭାରେ ସଭାପତିତ୍ୱ କରିଥିଲେ।ଦୁର୍ଗେଶ ପ୍ରସାଦ ମିଶ୍ର ଅତିଥି ପରିଚୟ କରିଥିଲେ ଓ ବିଜୟ ପଟ୍ଟନାୟକ ସଭା ସଂଯୋଜନା କରିଥିଲେ।କ୍ଷେତ୍ରପାଳୀ ମୃଦଙ୍ଗ ଅନୁଷ୍ଠାନର ସଂପାଦକ ତଥା ସତ୍ୟବାଦୀ ବ୍ଲକ କଳାସଂସ୍କୃତି ସଂଘ ଉପସଭାପତି ରମେଶ ଚନ୍ଦ୍ର ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ।ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିତ୍ଵଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ପରେପରେ କୈଳାସ ଗୋଟିପୁଅ ଅନୁଷ୍ଠାନର ସଂପାଦକ କୈଳାସ ଚନ୍ଦ୍ର ବିଶ୍ଵାଳ ଙ୍କ ସଂଯୋଜନାରେ ମଞ୍ଚ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ବଦ୍ରିନାରାୟଣ ଖୁଣ୍ଟିଆଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର ନୃତ୍ୟଶିଳ୍ପୀ ଙ୍କ ଦ୍ଵାରା ପରିବେଷିତ ଓଡ଼ିଶୀ ନୃତ୍ୟ,ଡି ଆର ବି ଡ଼୍ୟାନ୍ସ ଗ୍ରୁପର ବିବିଧ ନୃତ୍ୟ, ସୁଦୂର ଖଲିକୋଟର ପଥରା ଗ୍ରାମରୁ ଆସିଥିବା ବିଶିଷ୍ଟ ମୃଦଙ୍ଗ ଗୁରୁ ଭାସ୍କର ଦାସଙ୍କ ଦ୍ଵାରା ପ୍ରଶିକ୍ଷିତ ଶିଶୁ କଳାକାର ମାନଙ୍କ ମୃଦଙ୍ଗ ବାଦ୍ୟ, କୈଳାସ ଗୋଟିପୁଅ ଅନୁଷ୍ଠାନର ଗୋଟିପୁଅ ନୃତ୍ୟ ଓ ସ୍ଥାନୀୟ ଶିଶୁ କଳାକାର ମାନଙ୍କର ଓଡ଼ିଶୀ ନୃତ୍ୟ ଅତ୍ୟନ୍ତ ମନୋମୁଗ୍ଧକର ହୋଇଥିଲା।ବିଳମ୍ବିତ ରାତି ପର୍ଯ୍ୟନ୍ତ ଜନସାଧାରଣ ଉତ୍ସାହର ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।ସାରଙ୍ଗଯୋଡି ମଧୁବନ ଆଶ୍ରମର ଅଧିଷ୍ଠାତା ବାବାଜୀ କୃଷ୍ଣଚନ୍ଦ୍ର ଦୀକ୍ଷିତ ଙ୍କ ସହ ଉଭୟ ଅନୁଷ୍ଠାନର ସଦସ୍ୟ ଏବଂ ସାରଙ୍ଗଯୋଡି ଦେଶକୋଠ ସହାୟତାରେ ମହୋତ୍ସବ ସୁରୁଖୁରୁରେ ସମାହିତ ହୋଇଥିଲା
