ଉମରକୋଟ (ଭିଓଭି) : ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ସମ୍ପୂର୍ଣ୍ଣ ସଜବାଜ ହୋଇରହିଥିବା ବେଳେ ମାଓ କାର୍ଯ୍ୟକଳାପ ଉପରେ ତୀକ୍ଷ୍ମ ନଜର ଗଡ଼ାଇ ରଖିଛି l ବିଗତ ଦିନଗୁଡ଼ିକରେ ମାଓବାଦୀମାନେ ବିଭିନ୍ନ ଅଘଟଣ ଘଟାଇ ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରିଆସିଛନ୍ତି। ନବରଙ୍ଗପୁର ଜିଲ୍ଲା ମାଓଗଡ଼ ଭାବେ ବେଶ ପରିଚିତ ଥିଲା। ହେଲେ ଏବେ କିନ୍ତୁ ଚିତ୍ର ସମ୍ପୂର୍ଣ ଅଲଗା। ବିଗତ ୯ ତାରିଖ ଦିନ ଜିଲ୍ଲା ପୋଲିସର ଯବାନମାନେ ହାତୀଗାଁ ରିସର୍ଭ ଜଙ୍ଗଲ ଗସ୍ତ କରୁଥିବା ବେଳେ ମାଓବାଦୀଙ୍କ ସହ ସାମନା ସାମନି ହୋଇଥିଲା। ମାଓବାଦୀଙ୍କ ତରଫରୁ ଗୁଳି ଚାଳନା କରାଯାଇଥିଲା। ଜବାବରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚଳାଇବା ଫଳରେ ଜଣେ ମାଓବାଦୀ ନିହତ ହୋଇଛି। ଅନ୍ୟ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଘନ ଜଙ୍ଗଲ ମଧ୍ୟକୁ ପଳାଇଥିଲେ। ମୃତ ମାଓବାଦୀର ବୟସ ପ୍ରାୟ ୩୫ ବର୍ଷ ହେବ। ମୃତ ମାଓବାଦୀର ଶବ ଜବତବେଳେ ସେ କଳାଗଞ୍ଜି ଓ କଳାପ୍ୟାଣ୍ଟ ପିନ୍ଧି ଥିବା ଦେଖାଯାଇଛି। ବର୍ତ୍ତମାନ ସୁଦ୍ଧା ନିହତ ମାଓବାଦୀ କେଉଁ ଅଞ୍ଚଳର ତାହା ଚି଼ହ୍ନଟ ହୋଇପାରିନାହିଁ । ବର୍ତ୍ତମାନ ଶବକୁ ପୋଲିସ ନିଜ ହେପାଜତରେ ରଖି ଅନୁସନ୍ଧାନ ଜାରି ରଖିଛି।
