ରଣପୁର (ଭିଓଭି) : ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ଥାନା ଅଞ୍ଚଳରେ ସିଆରପିଏଫ ଜବାନଙ୍କ ପତ୍ନୀଙ୍କୁ ଗଳାକାଟି ହତ୍ୟା କରିବା ମାମଲାର ପର୍ଦ୍ଦାଫାସ କରିଛି ରଣପୁର ପୋଲିସ । ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଆଜି ରଣପୁର ଥାନାରେ ସାମ୍ବାଦିକ ସମ୍ମିଳନୀ କରି ଏହି ହତ୍ୟା କାଣ୍ଡର ପର୍ଦ୍ଦାଫାସ କରିଛନ୍ତି । ଗତକାଲି ନୟାଗଡ଼ ଜିଲ୍ଲା ରାଜସୁନାଖଳା ଫାଣ୍ଡି ଅଧିନସ୍ଥ କୋଟଣିଶିଳା ଗାଁରେ ନମିତା ବେହୁରାଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା । ନମିତାଙ୍କ ପୁଅ ଶାଶ୍ୱତ ସାମନ୍ତରାୟ ଥାନାରେ ମାମଲା ଦାୟର କରିଥିଲେ । ଏଥି ସହିତ ବାହାରେ ରହୁଥିବା ସିଆରପିଏଫ ଜବାନ ତଥା ନମିତାଙ୍କ ସ୍ୱାମୀଙ୍କୁ ଶାଶ୍ୱତ ସୁଚନା ଦେଇଥିଲେ । ଏହି ଘଟଣାରେ ରଣପୁର ପୁଲିସ ପକ୍ଷରୁ କେସ ନଂ-୨୧୩ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଏଥି ସହ ଡିଏସପିଙ୍କ ନେତୃତ୍ୱରେ ୩ ଗୋଟି ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ସାଇଣ୍ଟିଫିକ ଟିମ ସହ ବରିଷ୍ଠ ଅଧିକାରୀ ମାନେ ତଦନ୍ତ ଆରମ୍ଭ କରିଥିଲେ । ପ୍ରାଥମିକ ତଦନ୍ତରୁ ଉକ୍ତ ଗ୍ରାମର ଶରତ କୁମାର ସ୍ୱାଇଁ ଯିଏକି ମୃତ ନମିତାଙ୍କ ସାନ ଜ୍ୱାଇଁ ସେ ଏହି ହତ୍ୟା କାଣ୍ଡ କରିଥିବା ପ୍ରମାଣ ମିଳିଛି । ଏହି ମାମଲାରେ ରଣପୁର ଆଇଆଇସି ନିହାର ରଞ୍ଜନ ମହାନ୍ତି ତଦନ୍ତକୁ ଜୋରଦାର କରିଥିଲେ । ବିଭିନ୍ନ ଦିଗରୁ ତଦନ୍ତ କରାଯାଇଥିଲା । ଏହି ମାମଲାରେ ଆଉ କେଉଁମାନେ ସାମିଲ ଅଛନ୍ତି ତଦନ୍ତ ଜାରି ରହିଛି । ଏକ ମାସ ମଧ୍ୟରେ କୋର୍ଟକୁ ଚାର୍ଜସିଟ ପ୍ରଦାନ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରକାଶ କରିଛନ୍ତି । ହତ୍ୟାକାରୀ ଔରଫ ଜ୍ୱାଇଁ ଶରତ କୁମାର ସ୍ୱାଇଁଙ୍କ ଠାରୁ ଏକ ଛୁରୀ ଜବତ କରାଯାଇଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ହତ୍ୟା କାଣ୍ଡରେ ଆଉ କେଉଁ କେଉଁ ମାନେ ସାମିଲ ଅଛନ୍ତି ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଖୁବ୍ କମ୍ ଦିନ ଭିତରେ ଏହାର ରହସ୍ୟ ଖୋଲିବ ବୋଲି ସୁଚନା ଦେଇଛନ୍ତି ଆରକ୍ଷୀ ଅଧୀକ୍ଷକ । ପ୍ରାଥମିକ ତଦନ୍ତରେ ଜ୍ୱାଇଁ ଶରତ ହତ୍ୟା କରିଥିବା ସୁଚନା ମିଳିଛି । ୩୦ ଦିନ ମଧ୍ୟରେ ଉକ୍ତ ହତ୍ୟା କାଣ୍ଡର ଚାର୍ଜସିଟ କୋର୍ଟରେ ଦାଖଲ କରାଯିବ ବୋଲି ପୁଲିସ ପକ୍ଷରୁ ସୁଚନା ମିଳିଛି । ଏହି ସମୟରେ ଏସ.ଡି.ପି.ଓ ସୁଧୀର କୁମାର ସାହୁଙ୍କ ସମେତ ଦର୍ପନାରାୟଣପୁର ଫାଣ୍ଡି, ସୁନାଖଳା ଫାଣ୍ଡି ଅଧିକାରୀଙ୍କ ସମେତ ରଣପୁର ଥାନାର ସମସ୍ତ ପୋଲିସ ଉପସ୍ଥିତ ଥିଲେ |
