ପୁରୀ(ଭିଓଭି): ଚନ୍ଦନପୁର ନିକଟସ୍ଥ ତୁଳସୀ ଚଉରା ଗ୍ରାମରେ ସନ୍ଥ ତୁଳସୀ ଦାସ ଜୀଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଚିତ୍ରକୂଟ ତୁଳସୀ ପୀଠଧୀଶ୍ୱର ଜଗତଗୁରୁ ରାମନନ୍ଦାଚାର୍ଯ୍ୟ ଏବଂ ପଦ୍ମ ବିଭୂଷଣ ରାମଭଦ୍ରାଚାର୍ଯ୍ୟ ଙ୍କ କରକମଳରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । ପାଞ୍ଚ ଶହ ବର୍ଷ ପୂର୍ବେ ସନ୍ଥ ତୁଳସୀ ଦାସ ପୁରୀରେ ପହଂଚି ପୁରୀ ଶ୍ରୀମନ୍ଦିର ରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ କରିବା ପରେ ଏହି ଗ୍ରାମରେ ଅବସ୍ଥାନ କରିଥିଲେ । ଏହି ସମୟରେ ତୁଳସୀ ଦାସଙ୍କ ମନରେ ଦ୍ଵନ୍ଦ ଉପୁଜି ଥିଲା ଯେ, “ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ହାତ ଗୋଡ଼ କୁଆଡେ ଗଲା ? ଏ ତ ମୋ ରାମ ନୁହଁନ୍ତି !” ଏ କଥା ଜାଣି ପାରି ଜଗନ୍ନାଥ ନିଜେ ଏଠାରେ ରାମ ରୂପରେ ଆବିର୍ଭାବ ହୋଇ ତୁଳସୀ ଦାସଙ୍କ ମନରେ ଉପୁଜିଥିବା ଦ୍ଵନ୍ଦ ଦୂର କରିଥିଲେ ବୋଲି ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଏହି ଅବସରରେ ପ୍ରକାଶ କରିଥିଲେ। ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ଜାତୀୟ ପର୍ଯ୍ୟଟନ ସୂଚୀରେ ଏହି ଗ୍ରାମକୁ ସ୍ଥାନ ଦେବା ପାଇଁ ପଦକ୍ଷେପ ନେବାକୁ ଉପସ୍ଥିତ ବକ୍ତା ମାନେ ମତ ପୋଷଣ କରିଥିଲେ। ଏହି ଉତ୍ସବରେ ବଦ୍ରୀନାଥ ଧାମ ର ବାଲକ ଯୋଗେଶ୍ୱର ଦାସ ଜୀ ମହାରାଜ, ପୁରୀ ନେବଳ ଦାସ ମଠର ମହନ୍ତ ଡ଼ା ରାମ ଚରଣ ଦାସ, ପୁରୀ ମହିପ୍ରକାଶ ମଠର ମହନ୍ତ ଶୁଭାନନ୍ଦ ପୁରୀ, ଗୋବିନ୍ଦ ଗୋଧାମ ଗୋଶାଳାର ପ୍ରତିଷ୍ଠାତା ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା, ରାଜ୍ୟ ବିଜେପି ନେତ୍ରୀ ରଂଜିତା ପାଢ଼ୀ, ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ,ସମାଜସେବୀ ଦିଲ୍ଲୀପ ଖଣ୍ଡେଲବାଲ, ରିତା ଖଣ୍ଡେଲବାଲ, ବିଜୟ ଟେବ୍ରିବାଲ, ସରପଞ୍ଚ ମହେନ୍ଦ୍ର ମହାପାତ୍ର, ଗ୍ରାମ୍ୟ କମିଟି ସଭାପତି ବଳରାମ ମହାପାତ୍ର, ସମ୍ପାଦକ ସନ୍ତୋଷ ମହାପାତ୍ର, କୁଳଗୁରୁ ଜଗନ୍ନାଥ ଷଡ଼ଙ୍ଗୀ, ରବୀନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମହାସଚିବ ତଥା ରାଜ୍ୟସଭା ସାଂସଦ ଅରୁଣ ସିଂହ, ବିଜେପି ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି, ଉମେଶ ଖଣ୍ଡେଲବାଲ ପ୍ରମୁଖ ଜଗତଗୁରୁ ଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଥିଲେ।

