ଭୁବନେଶ୍ୱର (ଭିଓଭି) କେଶୁରା, ଆଶୁତୋଷ ନଗରଠାରେ ନୂତନ ରାମ ମନ୍ଦିର ଓ ରାଧା କୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଛି। ଏହି ଉତ୍ସବ ଗତ ୧୨ତାରିଖଠାରୁ ଆରମ୍ଭ କରି ୧୫ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ଚାଲିଥିଲା। ୧୩ ତାରିଖରେ କଳସ ଶୋଭାଯାତ୍ରା, ୧୪ ତାରିଖରେ ବିଗ୍ରହମାନଙ୍କ ପ୍ରାଣ ପ୍ରତିଷ୍ଠା, ୧୫ ତାରିଖରେ ଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଛି। ଏହି ତିନି ଦିନ ବ୍ୟାପି ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଗ୍ରହମାନଙ୍କର ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଏକାମ୍ର ବିଧାନସଭା କ୍ଷେତ୍ରର ବିଧାୟକ ବାବୁ ସିଂ ଯଜ୍ଞର ପୁର୍ଣ୍ଣାହୁତିରେ ଯୋଗ ଦେଇଥିଲେ। ୧୩ ତାରିଖ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରବଚକ (ମାଳିକା ବିଚାରକ) ପ୍ରମୋଦ କୁମାର ଏବଂ ୧୪ ତାରିଖ ଓଡ଼ିଶାର ସୁପ୍ରସିଦ୍ଧ ଶିବ ସୁନ୍ଦର ଦାଶ ଭଜନ ପରିବେଷଣ କରିଥିଲେ। ଏଥିରେ ବହୁ ସଂଖ୍ୟକ ଭକ୍ତ ଏବଂ ଦର୍ଶକ ଯୋଗ ଦେଇଥିଲେ। ରାମ ମନ୍ଦିର ଟ୍ରଷ୍ଟର ସଭାପତି ସର୍ବେଶ୍ୱର ସାହୁ ଏବଂ ସମ୍ପାଦକ ରଞ୍ଜନ କୁମାର ସାମଲଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ଶୃଙ୍ଖଳାରେ ଅନୁଷ୍ଠିତ ହୋଇଥିଲା।
