ପୁରୀ/ଗୋପ(ଭିଓଭି): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ସମୟରେ ଓଡିଶାର ପୁର ପଲ୍ଲିରୁ ଭକ୍ତମାନେ ଶ୍ରଦ୍ଧାରେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିବା ବସ୍ତା ବସ୍ତା ଚାଉଳକୁ ୪୦୭ ଟ୍ରକ୍ରେ ଆଣି ଶେଷରେ ଗୋପ-ନିମାପଡା ଶାଖା କେନାଲର ଗୋପ ନିକଟସ୍ଥ ବାୟାକୁଦା ଛକଠାରେ ପାଣିରେ ଫିଙ୍ଗି ଦେଉଥିବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗତ ଜାନୁଆରୀ ୧୭ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶ୍ରୀମନ୍ଦିର ଚତୁଃପାଶ୍ୱର୍ ପରିକ୍ରମା ମାର୍ଗ ଲୋକାର୍ପଣ ହୋଇଥିଲା । ଏଥିପାଇଁ ସାରା ରାଜ୍ୟରେ ଅର୍ପଣ ରଥ ପରିକ୍ରମା କରିଥିଲା । ଭକ୍ତ ମାନେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଚାଉଳ, ନଡିଆ, ଗୁଆ ଏବଂ ଟଙ୍କା ଦାନ କରିଥିଲେ । ବିଭିନ୍ନ ବ୍ଲକ୍ ପ୍ରଶାସନ ଏବଂ ଗ୍ରାମ୍ୟ କମିଟି ମାନେ ସ୍ୱତନ୍ତ୍ର ଗାଡି ଯୋଗେ ସେଗୁଡିକୁ ପୁରୀ ପଠାଇଥିଲେ । ଭକ୍ତଙ୍କ ଠାରୁ ସଂଗୃହିତ ଏହି ଚାଉଳରେ ମହାପ୍ରସାଦ ଖେଚୁଡି ଏବଂ ମିଷ୍ଟାନ୍ନ ପ୍ରସ୍ତୁତ କରି ପ୍ରଭୁଙ୍କୁ ଅର୍ପଣ କରିବା ପରେ ଭକ୍ତଙ୍କ ମଧ୍ୟରେ ବାଂଟି ଦେବା ପାଇଁ ସୁଆର ମହାସୁଆର ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ଏହି ଦାୟିତ୍ୱ ଦେଇଥିଲା । ସୁଆର ମହାସୁଆର ନିଯୋଗକୁ ଏହି ଚାଉଳରୁ ପ୍ରାୟ ୫ଶହ କୁଇଂଟାଲ ଚାଉଳ ଦିଆଯାଇଥିବା ବେଳେ ଆଉ ପ୍ରାୟ ୧୪ ହଜାର କ୍ୱିଂଟାଲ ଚାଉଳ ବ୍ୟବହାର ଅନୁପଯୋଗୀ ନହୋଇ ଜିଲ୍ଲା ଯୋଗାଣ ବିଭାଗର ଗୋଦାମ ସମେତ ଶ୍ରୀଗୁଣ୍ଡିଚା ମନ୍ଦିର ଏବଂ ଅକ୍ଷୟପାତ୍ର ଫାଉଣ୍ଡେସନ ଗୋଦାମରେ ପଡି ଖତ ଖାଉଛି । ଦୀର୍ଘ ଦିନ ଧରି ପଡି ରହିବା ଦ୍ୱାରା ଚାଉଳ ଗମୁରା ହେବା ସହିତ ସେଥିରେ ପୋକ ଲାଗି ଗଲେଣି । ତେଣୁ ଏହି ଚାଉଳକୁ କଣ କରାଯିବ, କିପରି ବ୍ୟବହାର କରାଯିବ ସେଥିଲାଗି ଶ୍ରୀମନ୍ଦିର ପ୍ରଶାସନ ଚିନ୍ତାରେ ପଡିଥିବା ବେଳେ ଗତ ୫ ତାରିଖରେ ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗ ଉଠି ସରକାରଙ୍କ ସହିତ ଆଲୋଚନା କରି ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ନିଷ୍ପତି ଗ୍ରହଣ ହୋଇଥିଲା । ମାତ୍ର ଗତ ୧୮ ତାରିଖ ଦିନ ଶ୍ରୀମନ୍ଦିର ଉତରଦ୍ୱାର ଗୁମୁଟରେ ପ୍ରାୟ ଦୁଇମାସ ଧରି ରଖାଯାଇଥିବା କିଛି ଚାଉଳକୁ ବିଶୋଧନ କରାଯିବା ପାଇଁ ଗୋପ ଅଂଚଳର ଏକ ମିଲ୍ କୁ ୪୦୭ ଟ୍ରକ ଯୋଗେ ନିଆଯାଇଥିଲା । ସେଠାରେ ବିଶୋଧନ ପରିବର୍ତେ ତିନିଦିନ ପରେ ସେହି ଟ୍ରକ୍ ରେ ଉକ୍ତ ଚାଉଳକୁ ନେଇ କେନାଲ ପାଣିରେ ଫିଙ୍ଗା ଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି ଏବଂ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନର ଏଭଳି ଅବହେଳାର ଉଚ୍ଚ ସ୍ତରୀୟ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।
