ସାକ୍ଷୀଗୋପାଳ (ଭିଓଭି): ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତୀକ୍ଷାଳୟ ସିଲିଂ ଆଜି ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ପ୍ରବଳ ବର୍ଷା ସମୟରେ ହଠାତ ଖସି ପଡିଥିଲା । ଏହି ସମୟରେ ପ୍ରତୀକ୍ଷାଳୟରେ କିଛି ରୋଗୀଙ୍କର ସମ୍ପର୍କୀୟ ଉପସ୍ଥିତ ଥିଲେ ମଧ୍ୟ କେହି ଆହାତ ହୋଇ ନ ଥିଲେ । ଏହି ସିଲିଂ ପି ଭି ସି ପ୍ଲାଷ୍ଟିକ ସିଲିଂ ହୋଇଥିବାରୁ କୌଣସି କ୍ଷୟକ୍ଷତି ହୋଇ ନାହିଁ । ଗତବର୍ଷ ୫ଟି ଯୋଜନାରେ ୧ କୋଟି ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ତରଫରୁ ପ୍ରତୀକ୍ଷାଳୟ, ପଞ୍ଜିକରଣ ଗୃହ, ଔଷଧ ବିତରଣ କେନ୍ଦ୍ର, ୱାର୍ଡ ଛାତ ମରାମତି ଓ ସିଲିଂ ହୋଇଥିଲା । ଗତ ତା ୨୬-୨-୨୦୨୪ରିଖରେ ଏହାର ଉଦଘାଟନ ହୋଇଥିଲା । ଏହି ସିଲିଂ ଖସିବା ସମ୍ପର୍କରେ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ସାକ୍ଷୀଗୋପାଳର ଏସ ଡି ଓ ମାନସ ରଞ୍ଜନ ମଲ୍ଲିକଙ୍କ ସହିତ ଯୋଗାଯୋଗ କରା ଯାଇଥିଲା । ପ୍ରତୀକ୍ଷାଳୟର ସିଲିଂ କାର୍ଯ୍ୟ ଅଗ୍ନି, ଜଳ ଓ ଉଇ ନିରୋଧକ ପି ଭି ସି ପ୍ଲାଷ୍ଟିକରେ ନିର୍ମିତ ହୋଇଅଛି । ସ୍କୃ ଢିଲା ହୋଇଯିବା ଫଳରେ ୩ ଗୋଟି ଖଣ୍ଡ ଖସି ପଡ଼ିଅଛି । ଆଜି ରାତି ସୁଦ୍ଧା ଏହାର ମରାମତି କରାଯିବ ବୋଲି ଏସ ଡି ଓ ଶ୍ରୀଯୁକ୍ତ ମଲ୍ଲିକ ସୂଚନା ପ୍ରଦାନ କରିଥିଲେ ।

