ଭୁବନେଶ୍ବର (ଭିଓଭି): ସରକାରଙ୍କ ବିଭିନ୍ନ ନିୟମକୁ ଖୋଲାଖୋଲି ଭାବରେ ଉଲ୍ଲଙ୍ଘନ କରି ନିଜ ଇଛା ଅନୁଯାୟୀ ଫି ଆଦାୟ କରିବା, ଏସି ପାଇଁ ଜବରଦସ୍ତ ଟଙ୍କା ନେବା,ତଥ୍ୟ ବିହୀନ ବାର୍ଷିକ ଫି ଆଦାୟ କରିବା ଇତ୍ୟାଦି କୁ ନେଇ ଜାଭିୟର୍ସ ହାଇସ୍କୁଲ, ଖଣ୍ଡଗିରୀ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏହାକୁ ନେଇ ଜାଭିୟର୍ସ ସ୍କୁଲ, ଖଣ୍ଡଗିରୀ ଅଭିଭାବକ ସଂଘର ସାଧାରଣ ସମ୍ପାଦକ ଭୁମୋହନ ପଟ୍ଟନାୟକ ଶିକ୍ଷା ସଚିବଙ୍କ ନିକଟରେ ଅଭିଯୋଗ କରିବା ପରେ ଶିକ୍ଷା ବିଭାଗ ତରଫରୁ ଏହାର ତଦନ୍ତ ନିମନ୍ତେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ କି ପୂର୍ବରୁ ସରକାରଙ୍କ ବିଭିନ୍ନ ନିୟମକୁ ଅଣଦେଖା କରୁଥିବାରୁ ବିଇଓ,ବିଇଓ ଏବଂ ନିର୍ଦ୍ଦେଶକ ନିଜ ତଦନ୍ତ ରିପୋର୍ଟରେ ଶିକ୍ଷା ବିଭାଗକୁ ଅବଗତ କରାଇଥିଲେ। କୋଭିଡ ମହାମାରୀ ସମୟରେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ଵାରା ନିର୍ଦ୍ଦେଶିତ ଫି ଛାଡ଼ ନକରି ନିଜ ଇଛା ଅନୁଯାୟୀ ଫି ଛାଡ଼ କରିଥିବାରୁ ଶିକ୍ଷା ବିଭାଗର ଉଚ୍ଚସ୍ତରୀୟ କମିଟି ସ୍କୁଲର ମାନ୍ୟତା ( ନୋ ଅବଜେକ୍ସନ୍ ସାର୍ଟିଫିକେଟ) ରଦ୍ଦ କରିବା ପାଇଁ ନିର୍ଦେଶ ଦେଇଥିଲେ ଯାହାକୁ ନେଇ ସ୍କୁଲ୍ କର୍ତ୍ତୃପକ୍ଷ ହାଇକୋର୍ଟଙ୍କ ନିକଟରେ ବିଭାଗ ତରଫରୁ ନିଆଯାଇଥିବା ଏଭଳି କଠୋର ନିଷ୍ପତ୍ତିକୁ ବର୍ତ୍ତମାନ ନିମନ୍ତେ ସ୍ଥଗିତ ରଖିବାକୁ ନିବେଦନ କରିଥିଲେ ଯାହାକି ବିଚାରାଧୀନ ଅଛି। ବିଭାଗ ତରଫରୁ ତଦନ୍ତ ନିମନ୍ତେ ନିଆଯାଇଥିବା ନିଷ୍ପତ୍ତିକୁ ଅଭିଭାବକ ସଂଘ ସ୍ଵାଗତ କରିଛି ବୋଲି ସଂଘ ସାଧାରଣ ସମ୍ପାଦକ ଭୁମୋହନ ପଟ୍ଟନାୟକ ଜଣାଇବା ସହ ବିଭାଗ ତରଫରୁ ଉପଯୁକ୍ତ କାର୍ଯାନୁଷ୍ଠାନ ନେବା ନିମନ୍ତେ ଦାବି କରିଛନ୍ତି।
