ରଣପୁର (ଭିଓଭି) : ଆଜି ନିଜ ଜନ୍ମ ଦିନରେ ଓଡିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବୁ ଅପେକ୍ଷାର ଅନ୍ତ ଘଟିଛି । ସୁଭଦ୍ରା ଯୋଜନା ଉଦଘାଟିତ ହୋଇ ମହିଳାମାନଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି ଟଙ୍କା। ରାଜ୍ୟ ସରକାର ରାଜ୍ୟର ସମସ୍ତ ବ୍ଲକରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିଛନ୍ତି । ଏଲଇଡ଼ି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସିଧା ସଳଖ କାର୍ଯ୍ୟକ୍ରମକୁ ସୁଭଦ୍ରା ହିତାଧିକାରୀମାନେ ସାମିଲ ହୋଇଛନ୍ତି । ନୟାଗଡ ଜିଲ୍ଲା ରଣପୁର ବ୍ଲକ ବିଡିଓ ସୁଧୀର କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଉପାଧ୍ୟକ୍ଷ ବିଶ୍ୱରଞ୍ଜନ ପଟ୍ଟନାୟକ, ଗୋପାଳପୁର ଜୋନ ଜିଲ୍ଲା ପରିଷଦ ଲକ୍ଷ୍ମୀପ୍ରିୟା ତରେଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ମହିଳାମାନେ କିପରି ଉଦ୍ୟୋଗୀ ହୋଇପାରିବେ ସେଥି ନିମନ୍ତେ ମହିଳାମାନେ ଆଗେଇ ଆସିବା ପାଇଁ ପରାମର୍ଶ ଅତିଥିମାନେ ଦେଇଥିଲେ । ମହିଳାମାନଙ୍କ ସାମଗ୍ରିକ ବିକାଶ କରିବା ଏହି ଯୋଜନାର ଲକ୍ଷ୍ୟ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ସ୍ୱଚ୍ଛତା ହିଁ ସେବାକୁ ଗୁରୁତ୍ୱ ଦେବାକୁ ବିଡ଼ିଓ ଶ୍ରୀ ନାୟକ କହିଥିଲେ । ଏହି କାର୍ଯ୍ୟକ୍ରମରେ ଶହ ଶହ ମହିଳା ଯୋଗ ଦେଇଥିଲେ ।

