ସତ୍ୟବାଦୀ (ଦୁର୍ଗେଶ ପ୍ରସାଦ ମିଶ୍ର) : ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦ୍ର ପୁର୍ଣିମା ତିଥିରେ ଭାଗବତ ଜନ୍ମ ବା ଭାଗବତ ସପ୍ତାହ ପାଳିତ ହୋଇଯାଇଛି । ଗ୍ରାମମାନଙ୍କରେ ଥିବା ବିଭିନ୍ନ ମଠ ଓ ଭାଗବତ ଟୁଙ୍ଗିରେ ଭାଗବତ ଜନ୍ମ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳୁ ସକାଳୁ ଭାଗବତ ଟୁଙ୍ଗି ଗୁଡିକରେ ଫୁଲ, ଆମ୍ବଡ଼ାଳ ଓ କଦଳୀ ଗଛ ବନ୍ଧା ଯାଇଥିଲା। ଭାଗବତ ପୁରାଣ ପୋଥିକୁ ନୂତନ ବସ୍ତ୍ର ପରିଧାନ କରାଯିବା ସହ ହୋମ ଓ ବିଭିନ୍ନ ଫଳମୂଳ ସହିତ ଖଇକୋରା, ଚୁଡାଘସା ଆଦି କରାଯାଇ ଭୋଗ କରାଯାଇଥିଲା। ସେହିପରି ଶ୍ରୀରାମଚନ୍ଦ୍ରପୁର ଅନ୍ତର୍ଗତ ହରଚଣ୍ଡୀପୁର ସ୍ଥିତ ପୁରାତନ ପତିତପାବନ ଦେବଙ୍କ ମନ୍ଦିରରେ ଭାଗବତ ଜନ୍ମ ଓ ଇନ୍ଦ୍ରୋତ୍ସବ ପୁର୍ଣିମା ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ଗହଣରେ ପବିତ୍ର ଭାଗବତ ଗ୍ରନ୍ଥର ପୂଜନ, ଭାଗବତ ଗ୍ରନ୍ଥ ପଠନ, ଭଜନ, କିର୍ତ୍ତନ, ଆଲୋଚନା ଚକ୍ର ଓ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ କାର୍ଯ୍ୟକ୍ରମ ମାଧ୍ୟମରେ ଭାଗବତ ଜନ୍ମ ପାଳିତ ହୋଇଯାଇଛି। ସେହିପରି ଅଳଗୁମ ଐଶାନ୍ୟପଡା ଗ୍ରାମ ଭାଗବତ ଟୁଙ୍ଗିରେ ଗ୍ରାମର ଆବାଳବୃଦ୍ଧବନିତା ଯୋଗଦେଇ ଭାଗବତ ଶ୍ରବଣ କରିଥିଲେ। ପ୍ରଥମେ ଭାଗବତ ପୁରାଣ ପୂଜାର୍ଚ୍ଚନା ପରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ବୟୋଜ୍ୟେଷ୍ଠ ଶ୍ରଦ୍ଧାଳୁମାନେ ଭାଗବତ ପାଠ କରିଥିଲେ। ଅନୁରୂପ ଭାବେ ସାଣ୍ଢରା ଶାସନ ଗ୍ରାମ ପଞ୍ଚାୟତର ଉତ୍ତରପଡା ଗ୍ରାମରେ ଭାଗବତ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ସାଧୁସନ୍ଥମାନଙ୍କୁ ନେଇ ଏକ ଧର୍ମଚର୍ଚ୍ଚା ଅନୁଷ୍ଠିତ ହୋଇଯାଇଛି। ସେହିପରି ରାୟଚକ୍ରଧର ପୁର ଶ୍ରୀ ଗୋପୀନାଥ ଦେବଙ୍କ ମନ୍ଦିରରେ ଭାଗବତ ପୂଜା ହେବା ସହ ଯଜ୍ଞାନୁଷ୍ଠାନ ଅନୁଷ୍ଠିତ ହୋଇଥିଲା।
