ଭୁବନେଶ୍ୱର(ଭିଓଭି): ରାଜଧାନୀ ରାସ୍ତାଘାଟରେ ବୁଲା କୁକୁର ରାଜ୍ ଚଳାଇଛନ୍ତି । ଗଳିକନ୍ଦିରୁ ରାଜରାସ୍ତାରାରେ ସେମାନଙ୍କ ପ୍ରାର୍ଦୁଭାବ ଦେଖିବାକୁ ମିଳୁଛି । ଗାଡ଼ି ଚାଳକ ହୁଅନ୍ତୁ ଅବା ପଥଚାରୀ, ଏପରିକି ଛୋଟ ପିଲାଙ୍କୁ ମଧ୍ୟ ଏମାନେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ହଠାତ୍ ଚଳନ୍ତା ଗାଡ଼ି ଆଗକୁ ଆସି ଯାଉଥିବାରୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି । ମହିଳା ଓ ଶିଶୁଙ୍କୁ ଦେଖିଲେ କୁକୁର ବେଶି ଆକ୍ରମଣାତ୍ମକ ହୋଇପଡୁଛନ୍ତି । ଗତ କିଛିଦିନ ହେବ ରାଜଧାନୀରେ କୁକୁର ଉପଦ୍ରବ ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି । ଫଳରେ ଘରୁ ବାହାରିଲେ ଡର ଲାଗୁଛି । କେବଳ କ୍ୟାପିଟାଲ ହସ୍ପିଟାଲକୁ ଦୈନିକ ୬୦ରୁ ୭୦ କୁକୁର କାମୁଡ଼ା ରୋଗୀ ଆସୁଥିବା ଏକ ସୂତ୍ରରୁ ଜଣାପଡ଼ିଛି । ୧ମାସ ପୂର୍ବରୁ ଏହି ସଂଖ୍ୟା ୩୦ରୁ ୩୫ ମଧ୍ୟରେ ରହିଥିବାବେଳେ ଏବେ ତାହା କ୍ରମାଗତ ଭାବେ ବଢି ଚାଲିଛି । ପ୍ରାୟ ୩ଶହ ରୋଗୀ ଏବେ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି । ସହରର ବିଭିନ୍ନ ଅଞ୍ଚଳ ସମେତ ଡାକ୍ତରଖାନା ପରିସରରେ ମଧ୍ୟ ବିଲେଇ, କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇଛି ।
ଗୋଟେପଟେ କୁକୁରମାନେ ହିଂସ୍ର ହୋଇ ପଡୁଥିବାବେଳେ ହାଇକୋର୍ଟ ରାଜ୍ୟରେ ଆନିମଲ ବାର୍ଥ କଣ୍ଟ୍ରୋଲ (ଏବିସି) କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇଛନ୍ତି । ଫଳରେ କୁକୁରଙ୍କ ସଂଖ୍ୟା କ୍ରମାଗତ ଭାବେ ବଢି ଚାଲିଛି । ପ୍ରଥମେ ଚଳିତ ବର୍ଷ ଅଗଷ୍ଟ ୩୧ଯାଏ ଏବିସି ଉପରେ ରୋକ୍ ଲଗାଯାଇଥିଲା । ଏ ସମୟରେ ରାଜ୍ୟରେ କୌଣସି ପ୍ରକାରର ଏବିସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ଆଦେଶ ଦେଇଥିଲେ । ଫଳରେ ଜୁଲାଇ ୧୦ରୁ ଏହି କାର୍ଯ୍ୟକ୍ରମ ବନ୍ଦ ରହିଛି । ତେବେ ଏଯାବତ୍ କେସ୍ର ଫଏସଲା ହୋଇ ପାରୁ ନ ଥିବାରୁ କୁକୁରଙ୍କ ଅସ୍ତ୍ରୋପଚାର ବନ୍ଦ ରହିଛି । ବିଏମ୍ସି ସୂଚନା ମୁତାବକ, ବର୍ଷକୁ ୨ହଜାରରୁ ଊର୍ଦ୍ଧ୍ୱ କୁକୁର ଛୁଆ ଜନ୍ମ ହେଉଛନ୍ତି । ଏକ ଆକଳନ ଅନୁଯାୟୀ ଏବେ ସହରରେ ୬୦ହଜାରରୁ ଊର୍ଦ୍ଧ୍ୱ କୁକୁର ରହିଛନ୍ତି । ବିଏମ୍ସି ପୂର୍ବରୁ ଦିନକୁ ୨୦ରୁ ୨୫ଟି ହିସାବରେ ମାସକୁ ୫ରୁ ୬ଶହ କୁକୁରଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରୁଥିବାବେଳେ ଏବେ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ରହିଛି ।
ରଣଜିତ୍ ପଟ୍ଟନାୟକ
ଚିଫ୍ ରିପୋର୍ଟର୍
