ପୁରୀ (ଭିଓଭି): ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଭୁବନେଶ୍ୱରର ରୁଚିକା ସମାଜ ମଙ୍ଗଳ ସଂଗଠନ ତରଫରୁ ଏକ ସାତ ଦିନିଆ ବେଳାଭୂମି ସଫେଇ ଓ ସୁରକ୍ଷା କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ଆଜି ପୁରୀ ବେଳାଭୂମିର ଦିଗ ବାରେଣି ଛକ ଠାରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମରେ ସଂଗଠନର ପ୍ରାୟ ୨୫ ଜଣ ସଦସ୍ୟ ସମୁଦ୍ରକୂଳକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ବେଳାଭୂମି ସଫାସୁତରା ରଖିବା, ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବା ଏବଂ ଯଦି ବ୍ୟବହାର ହୋଇଥାଏ ତେବେ ଏହାକୁ ବ୍ୟବହାର ପରେ ଏଣେ ତେଣେ ନ ପକାଇ ଘର ସଜାଇବା ବା ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ବାର୍ତ୍ତା ଲେଖାଥିବା ପ୍ଲା କାର୍ଡ ମାନ ଧରି ସଚେତନତା ପ୍ରଚାର କରିଥିଲେ। ସଂଗଠନର ସଦସ୍ୟ ମାନେ ହାତରେ ଝୁଡ଼ି ଏବଂ ବ୍ୟାଗ୍ ଧରି ଦିଗ ବାରେଣୀ ଖୁଣ୍ଟି ଠାରୁ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ପୁରୀ ଦିଗବାରେଣୀ ଖୁଣ୍ଟି କ୍ଷୁଦ୍ର ବ୍ୟବସାୟୀ ସଂଘ ସଭାପତି ସି. ଗଣେଶ ରାଓ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ ଏବଂ ସଂଗଠନର ପୁରୀ ଜିଲ୍ଲା ସଂଯୋଜକ ହେମନ୍ତ କୁମାର ଦାସ ପରିଚାଳନା କରିଥିଲେ। କେଶବ ଚନ୍ଦ୍ର ସେନାପତି, କରୁଣାକର ସାମଲ, ଜୟରାମ ନାୟକ, ନିରଞ୍ଜନ ମହାରଣା, ଘନଶ୍ୟାମ ଭୋଇ, ହରପ୍ରିୟା ପତି, ତଟିନୀ ବିଶ୍ୱାଳ, ହରପ୍ରିୟା ଖଟୋଇ, ପ୍ରିତିପଜ୍ଞା ସ୍ୱାଇଁ, ମନିଦିପା ସାହୁ, ପ୍ରମୋଦ କୁମାର ବେହେରା, ଅଜୟ କୁମାର ମହାରଣା ପ୍ରମୁଖ ସଂଗଠନର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିବେଶ ସୁସ୍ଥ ଜୀବନର ଏକ ବିଶେଷ ଅଙ୍ଗ। ଯଦି ପରିବେଶ ସ୍ୱଚ୍ଛ ରହିବ ତାହେଲେ ଆମ ଭବିଷ୍ୟତ ମଧ୍ୟ ସେହିଭଳି ସ୍ୱଚ୍ଛ ଓ ସୁରକ୍ଷିତ ରହିବ। ତେଣୁ ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବେଳାଭୂମିକୁ ସଫାସୁତରା ରଖି ପୁରୀର ପରିବେଶକୁ ସ୍ୱଚ୍ଛ ରଖିବାର ବାର୍ତ୍ତା ପହଞ୍ଚାଇବାକୁ ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ଧରି ଚାଲିବ ବୋଲି ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ବେଣୁଧର ସେନାପତି ପ୍ରକାଶ କରିଛନ୍ତି।
