ପୁରୀ (ଭିଓଭି): ଭଏସ୍ ଅଫ୍ ଭିକ୍ଟିମ୍ସ ର ତୃତୀୟ ସଂସ୍କରଣରେ “ମରଣଯନ୍ତା ପାଲଟିଛି ମୁଖ୍ୟ ପ୍ରବେଶ ପଥ” ଶୀର୍ଷକ ଖବର ପ୍ରକାଶିତ ହେବା ପରେ ପୁରୀ ସହରର ଅନ୍ୟତମ ମୁଖ୍ୟ ପ୍ରବେଶ ପଥ ତାଳବଣିଆ ସ୍ଥିତ ବିନୋବା ନଗର ନିକଟରେ ନଳା ପାଣି ଯୋଗୁଁ ମୁଖ୍ୟ ରାସ୍ତାରେ ସୃଷ୍ଟି ହୋଇଥିବା ପ୍ରାୟ ୩୦ ଫୁଟ ଲମ୍ବ, ୩ ଫୁଟ ଓସାର ଏବଂ ୧ ଫୁଟ ଗଭୀରର ଘାଇଟି ମରାମତି ହୋଇଛି ।

ଖବର ପ୍ରକାଶ ପାଇବା ପରେ ବିଭାଗ ତରଫରୁ ତରବରିଆ ଭାବେ କିଛି ମେଟାଲ ଡଷ୍ଟ ପକାଇ ଘାଇଟିକୁ ପ୍ରଥମେ ପୋତି ଦିଆ ଯାଇଥିଲା । ମାତ୍ର ନଳା ପାଣିର ପ୍ରଭାବରେ ପୁନର୍ବାର ଉକ୍ତ ସ୍ଥାନରେ ଘାଇ ହୋଇଯାଇଥିଲା । ତେଣୁ ରାଜରାସ୍ତା ବିଭାଗ ଏବେ ଜେସିବି ସାହାଯ୍ୟରେ ରାସ୍ତାକୁ ଖୋଳି ସେହି ସ୍ଥାନରେ ହୋମ ପାଇପ ପକାଇ ଉକ୍ତ ନଳା ପାଣିକୁ ଉକ୍ତ ପାଇପ ମଧ୍ୟ ଦେଇ ରାସ୍ତା ପାର କରାଇବାରୁ ଉକ୍ତ ସମସ୍ୟାର ସମାଧାନ ହୋଇଛି । ପାଇପ ପକା ଯାଇଥିବା ସ୍ଥାନରେ କଂକ୍ରିଟ ଢ଼ଳାଇ କରାଯାଇ ଗମନା ଗମନର ସୁବିଧା କରାଯାଇଛି । ପ୍ରକାଶ ଥାଉ କି, ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହେବ ଉକ୍ତ ସ୍ଥାନରେ ନଳା ପାଣି ଦ୍ୱାରା ସୃଷ୍ଟି ହୋଇଥିବା ଘାଇଟି ଯୋଗୁଁ ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ, ବୃଦ୍ଧା, ସାଧାରଣ ଯାତ୍ରୀ, ଗାଡି ମୋଟର ଆଦି ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟୁଥିଲା । ମାତ୍ର ଭଏସ୍ ଅଫ୍ ଭିକ୍ଟିମ୍ସରେ ଖବର ପ୍ରକାଶନ ପରେ ଉକ୍ତ ସମସ୍ୟା ଉପରେ ବିଭାଗୀୟ କତୃପକ୍ଷଙ୍କ ଦୃଷ୍ଟି ପଡି ସମସ୍ୟାର ସମାଧାନ ହେଲା ବୋଲି ଅଂଚଳର କିଛି ବୁଦ୍ଧିଜୀବି ପ୍ରକାଶ କରିଛନ୍ତି ।

