ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ। ୨ ଜଣଙ୍କ ନାଁ ଘୋଷଣା କଲା ବିଜେଡି। ଡାକ୍ତର ଦତ୍ତେଶ୍ବର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ମିଳିଲା ଟିକେଟ୍। ଏହି ଦୁଇ ଜଣଙ୍କ ନାଁରେ ଲାଗିଲା ମୋହର । ଦତ୍ତେଶ୍ବରଙ୍କୁ କମନ କ୍ୟାଣ୍ଡିଡେଟ୍ କହିଲେ ନବୀନ । ସଂତୃପ୍ତ ଆମ ଦଳର ପ୍ରର୍ଥୀ କହିଲେ ନବୀନ। ତେବେ ସମସ୍ତ ଦଳର ସମର୍ଥନ ଲୋଡିଲେ ନବୀନ ପଟ୍ଟନାୟକ। ସମସ୍ତେ ତାଙ୍କୁ ସମର୍ଥନ କରନ୍ତୁ ବୋଲି କହିଲେ ନବୀନ। ନବୀନଙ୍କୁ କୃତଜ୍ଞତା ଜଣାଇଲେ ସଂତୃପ୍ତ ମିଶ୍ର । କହିଲେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବକୁ ନମ୍ରତାର ସହ ଗ୍ରହଣ କରୁଛି। ସମସ୍ତଙ୍କ ସହଯୋଗ କାମନା କରୁଛି।
ତେବେ କାହାକୁ କେଉଁ ଦଳ କରିବ ପ୍ରାର୍ଥୀ, କିଏ ସଂସଦର ଉଚ୍ଚସଦନକୁ ଯିବାକୁ ପାଇବ ଟିକେଟ, ତାକୁ ନେଇ ରାଜ୍ୟବାସୀ ଓ ରାଜନୀତିରେ ରୂଚି ରଖୁଥିବା ବ୍ୟକ୍ତିବିଶେଷଙ୍କ ଠାରେ ଥିଲା ଉତ୍କଣ୍ଠା। ଏସବୁ ଭିତରେ ନବୀନ ନିବାସରେ ପ୍ରାର୍ଥୀ ନେଇ ଚାଲି ଥିଲା ଅଙ୍କକଷା। ନବୀନ ନିବାସରେ ଡାକ୍ତର ଦତ୍ତେଶ୍ବର ହୋତା ପହଞ୍ଚିବା ପରେ ବଢ଼ିଥିଲା ଚର୍ଚ୍ଚା। ସଂତୃପ୍ତ ମିଶ୍ର ବି ନବୀନ ନିବାସରେ ଥିଲେ । କାହାକୁ ରାଜ୍ୟସଭା ପାଇଁ ଟିକେଟ୍ ମିଳିବ ତାକୁ ନେଇ ଥିଲା ଅପେକ୍ଷା। ଶାସକ ଦଳ ବିଜେପି ଓ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପକ୍ଷରୁ ଚାଲିଥିଲା ଜୋରଦାର କସରତ, ତିନି ଦଳରେ ଘନଘନ ଚାଲିଥିଲା ମାନସମନ୍ଥନ। ଏସବୁ ଭିତରେ ଆଜି ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା କରିଛି।
