ନୟାଗଡ଼: ନୂଆଗାଁ ବ୍ଲକ ଅଫିସରେ ପଞ୍ଚାୟତ ସମିତିରେ ଚାଲିଗଲା ବୈଠକ । ହଠାତ୍ ହୋ ହାଲ୍ଲା ପାଟିତୁଣ୍ଡରେ କମ୍ପି ଉଠିଲା ପୁରା ପରିବେଶ। ଆଉ ତା’ ପରେ ବିଧାୟକଙ୍କ ମୁଣ୍ଡକୁ ଚଢ଼ିଗଲା ରାଗ ଫୋପାଡ଼ିଲେ ଫାଇଲ ।
ତେବେ ନୂଆଗାଁ ବ୍ଲକ ଅଫିସରେ ପଂଚାୟତ ସମିତି ବୈଠକ ଚାଲିଥିବା ବେଳେ, ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ନୂଆଗାଁ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ନେଇ ପଂଚାୟତ ସମିତି ବୈଠକ ବସିଥିଲା । ଯେଉଁଥିରେ ସାମିଲ ହୋଇଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ।ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାମ ଅଧପନ୍ତରିଆ ପଡିଥିବା ବେଳେ, ଶୀଘ୍ର ସାରିବାକୁ ତାଗିଦ୍ କରିଥିଲେ ବିଧାୟକ ।

ଏପରିକି ବୈଠକ ଅଧାରୁ ହଠାତ ବିଡିଓଙ୍କ ଉପରେ ଖପ୍ପା ହୋଇ ଫାଇଲ ଫୋପାଡିଥିଲେ ବିଧାୟକ ରମେଶ ବେହେରା । ଆଗକୁ ଉନ୍ନୟନ ମୂଳକ କାମ ଅଟକିଲେ ରାଜରାସ୍ତାକୁ ଓହ୍ଲାଇବାକୁ ବିଡିଓଙ୍କୁ ଚେତାବନୀ ଦେଇଥିଲେ ରମେଶ । ତେବେ ଏନେଇ ନୂଆଗାଁ ବିଡିଓଙ୍କ ପ୍ରତିକ୍ରିୟା ମିଳିପାରିନି ।
ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କହିଛନ୍ତି ଯେ, କାହିଁକି ରାସ୍ତା ଘାଟ, ବ୍ରିଜ କାମକୁ ତଦାରଖ କରୁ ନାହାଁନ୍ତି ? କାମ ନ କରାଯାଇ ଦୀର୍ଘଦିନ ପଡ଼ି ରହିଛି କାହିଁକି ? ଲୋକେ କେତେ ହନ୍ତସନ୍ତ ହେଉଛନ୍ତି । ତୁରନ୍ତ କାମ କରାଯିବା ଦରକାର ନହେଲେ ଆଗାମୀ ଦିନରେ ଭାଇ ଭଉଣୀ ମାନେ ଆନ୍ଦୋଳନ ମୁହାଁ ହେବେ ।
