ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ । ଘୂର୍ଣ୍ଣିବଳୟ ପ୍ରଭାବରେ ୨୫ରେ ବଙ୍ଗୋପସାଗରରେ ଲୋ-ପ୍ରେସର ସମ୍ଭାବନା । ମିଆଁମାର-ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୨୫ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ଉତ୍ତରପୂର୍ବ ବଙ୍ଗୋପସାଗରରେ ମିଆଁମାର-ବାଂଲାଦେଶ ଉପକୂଳରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଅନ୍ୟପଟେ ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ରହିଛି। ଏନେଇ ପାଣିପାଗ ବିଭାଗ ବିଭାଗ ସୂଚନା ଦେଇଛି । ଆଜି ବିଜୁଳି ଓ ଘଡ଼ଘଡ଼ି ପାଇଁ ପୂରା ରାଜ୍ୟକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହା ସହିତ ୩୦ରୁ ୪୦ କିମି ବେଗରେ ପବନ ବହିବା ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ଆସନ୍ତାକାଲି ବିଜୁଳି ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ପାଇଁ ୧୪ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ତାରିଖ ଠାରୁ ରାଜ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ । ୨୪ ତାରିଖରେ ୨ ଜିଲ୍ଲା ମୟୂରଭଞ୍ଜ ଏବଂ କେନ୍ଦୁଝରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ୨୫ ତାରିଖ ଦିନ ୮ ଜିଲ୍ଲାରେ ପ୍ରବଳ ବର୍ଷିବ । ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆକଳନ କରାଯାଇଛି ।

