ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବିରାଟ ତ୍ରୁଟି । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ । ଜନଶୁଣାଣି ବେଳେ ରେଖା ଗୁପ୍ତାଙ୍କୁ ଚାପୁଡା ମାରିଲା ଯୁବକ । ପ୍ରଥମେ ଅଭିଯୋଗ ନେଇ ଆସିଲେ, ତାପରେ ଜୋରରେ ଚିଲେଇଲେ, ଆଉ ଶେଷରେ ଚାପୁଡ଼ା ମାରିଲେ । ହଁ ଆଜ୍ଞା, ସକାଳୁ ସକାଳୁ ଦିଲ୍ଲୀରୁ ଆସିଲା ବଡ଼ ଖବର । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ । ଜନଶୁଣାଣି ବେଳେ ରେଖା ଗୁପ୍ତାଙ୍କୁ ଚାପୁଡା ମାରିଲା ଯୁବକ । ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ସାପ୍ତାହିକ ଜନଶୁଣାଣି କରୁଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଥିଲା ।
ଯେତେବେଳେ ମୁଖ୍ୟମନ୍ତ୍ରୀ ଜନଶୁଣାଣି କରୁଥିଲେ, ଜଣେ ବ୍ୟକ୍ତି ତାଙ୍କ ଅଭିଯୋଗ ନେଇ ସେଠାରେ ପହଞ୍ଚିଥିଲେ । ଏହି ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିଥିଲେ । ତେବେ ସୂଚନା ଅନୁସାରେ ୩୫ ବର୍ଷୀୟ ଯୁବକ ଜଣକ କିଛି କାଗଜ ନେଇ ମୂଖୀମନ୍ତ୍ରୀ ରେଖା ଗୁପ୍ତାଙ୍କ ପାଖରେ ପହଞ୍ଚିଲେ ଏବଂ ସେଠାରେ ଜୋରରେ ଚିଲେଇଲେ ଏବଂ ତାପରେ ହଠାତ୍ ଚାପୁଡା ମାରିଲେ । ଆକ୍ରମଣକାରୀକୁ ଗିରଫ କରି ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ କରୁଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଳୟ ଭାଙ୍ଗି ଏହି ଘଟଣା ଘଟିଛି । ଏବେ ସିସିଟିଭିକୁ ଯାଞ୍ଚ କରୁଛି ପୋଲିସ ।

ତେବେ କ’ଣ ପାଇଁ ଯୁବକ ଜଣକ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଆକ୍ରମଣ କରିଲା ତାହା ଜଣାପଡିନାହିଁ । ଅନ୍ୟପଟେ ଜନଶୁଣାଣିରେ ଉପସ୍ଥିତ ଥିବା ଲୋକମାନେ ଏହି ଘଟଣାକୁ ଆଶ୍ଚର୍ଯ୍ୟଜନକ ଓ ନିନ୍ଦନୀୟ ବୋଲି କହିଛନ୍ତି । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭୁଲ । ଜନଶୁଣାଣି ପ୍ରତ୍ୟେକ ନାଗରିକର ଅଧିକାର । ଯଦି ଜଣେ ଅନୁପ୍ରବେଶକାରୀ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିପାରେ, ତେବେ ଏହା ବହୁତ ବଡ଼ କଥା । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଲୋକଙ୍କ କଥା ଶୁଣୁଥିଲେ । ହଠାତ୍ ଯୁବକ ଜଣକ ତାଙ୍କୁ ଚାପୁଡ଼ା ମାରିଥିଲେ ଯାହାପରେ ପୋଲିସ ତାକୁ ତୁରନ୍ତ ନେଇଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ମଧ୍ୟ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜନଶୁଣାଣି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଏଭଳି ଆକ୍ରମଣକୁ କଂଗ୍ରେସ କଡ଼ା ନିନ୍ଦା କରିଛି । ଦିଲ୍ଲୀ କଂଗ୍ରେସ ସଭାପତି ଦେବେନ୍ଦ୍ର ଯାଦବ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁଃଖଦ । ମୁଖ୍ୟମନ୍ତ୍ରୀ ସମଗ୍ର ଦିଲ୍ଲୀର ନେତୃତ୍ୱ ନେଉଛନ୍ତି ତେଣୁ ଏହାଠାରୁ ନିନ୍ଦନୀୟ ଘଟଣା ଆଉ କିଛି ହୋଇପାରିବନି । ଏହି ଘଟଣା ମହିଳା ସୁରକ୍ଷାର ବାସ୍ତବତାକୁ ମଧ୍ୟ ପ୍ରକାଶ କରେ । ଯଦି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ସୁରକ୍ଷିତ ନୁହଁନ୍ତି, ତେବେ ଜଣେ ସାଧାରଣ ପୁରୁଷ କିମ୍ବା ମହିଳା କିପରି ସୁରକ୍ଷିତ ରହିବେ?
ଏନେଇ କେଜରିୱାଲ କହିଛନ୍ତି, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ମତ ପାର୍ଥକ୍ୟ ଏବଂ ପ୍ରତିବାଦ ଗ୍ରହଣୀୟ, କିନ୍ତୁ ହିଂସାର କୌଣସି ସ୍ଥାନ ନାହିଁ । ସେ ଆଶା କରିଛନ୍ତି ଯେ ଦିଲ୍ଲୀ ପୋଲିସ ଏହା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ସେହିପରି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ନେତା ଆତିଶୀ କହିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । ଗଣତନ୍ତ୍ରରେ ଭିନ୍ନମତ ଏବଂ ପ୍ରତିବାଦ ପାଇଁ ସ୍ଥାନ ଅଛି, କିନ୍ତୁ ହିଂସା ପାଇଁ କୌଣସି ସ୍ଥାନ ନାହିଁ । ଦିଲ୍ଲୀ ପୋଲିସ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶା କରାଯାଉଛି ।
ଏନେଇ ଶିବସେନା UBT ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି, ” ଦେଶର ରାଜଧାନୀର ମୁଖ୍ୟମନ୍ତ୍ରୀ ଆଇନ ଶୃଙ୍ଖଳା ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି । ଏହା ଅତ୍ୟନ୍ତ ଚିନ୍ତାଜନକ ଏବଂ ଗୃହ ମନ୍ତ୍ରଣାଳୟକୁ ପ୍ରଶ୍ନ ପଚାରିବା ଉଚିତ କାରଣ ଦିଲ୍ଲୀ ପୋଲିସ ଏବଂ ଆଇନ ଶୃଙ୍ଖଳା ସେମାନଙ୍କ ଅଧୀନରେ ଆସେ । ଯଦି ମୁଖ୍ୟମନ୍ତ୍ରୀ ନିଜେ ଅସୁରକ୍ଷିତ ତେବେ ଦିଲ୍ଲୀର ନାଗରିକମାନେ କେତେ ସୁରକ୍ଷିତ?
ଏପଟେ ଏଭଳି ଘଟଣାକୁ ଦିଲ୍ଲୀ ବିଜେପି ଏହି ଘଟଣାର କଡା ନିନ୍ଦା କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଏଭଳି ବିରାଟ ତ୍ରୁଟି ନେଇ ପ୍ରଶ୍ନ ଉଠିଛି । ଏଭଳି ଘଟଣାକୁ ନେଇ ବିଭିନ୍ନ ଦଳ ଘୋର ନିନ୍ଦା କରିଛନ୍ତି । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଆକ୍ରମଣ ଉଦ୍ୟମ ତଥା ଅସମ୍ମାନ ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ କେଜେରିୱାଲଙ୍କୁ ଏଭଳି ଚାପୁଡ଼ା ମାରିବା, କାଳୀ ଏବଂ ପାଣି ଫୋପାଡିବା ଘଟଣା ସାମ୍ନାକୁ ଆସିଥିଲା । ଏଭଳି ଘଟଣା ସତରେ ଭାରି ନିନ୍ଦନୀୟ ।
ତେବେ ତଦନ୍ତ ପରେ ଆକ୍ରମଣକାରୀ ବିଷୟରେ କିଛି ସୂଚନା ମିଳିଛି । ଦିଲ୍ଲୀ ପୋଲିସର ପଚରାଉଚରା ସମୟରେ, ଅଭିଯୁକ୍ତ ନିଜକୁ ରାଜେଶ ଭାଇ ଖିମଜୀ ଭାଇ ସାକାରିଆ ବୋଲି ପରିଚୟ ଦେଇଛି । ଏହି ବ୍ୟକ୍ତି ରାଜକୋଟର ବାସିନ୍ଦା । ଅନ୍ୟପଟେ ବର୍ତ୍ତମାନ ରେଖା ଗୁପ୍ତା ସୁସ୍ଥ ଅଛନ୍ତି ଏବଂ ତାଙ୍କ କାମ କରୁଛନ୍ତି । କିନ୍ତୁ ଏହା ଏକ ଅତ୍ୟନ୍ତ ଗମ୍ଭୀର ବିଷୟ ତେଣୁ ଏନେଇ ଅଭିଯୁକ୍ତ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ନିହାତି ଆବଶ୍ୟକ ।
