ଭୁବନେଶ୍ୱର : ଆଜି ଐତିହାସିକ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା କାର୍ଡର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ହିତାଧିକାରୀମାନଙ୍କୁ ସ୍ବାସ୍ଥ୍ୟ ବିମା କାର୍ଡ ବଣ୍ଟନ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ବଡ଼ମ୍ବା ବାସିନ୍ଦା ବରିଷ୍ଠ ନାଗରିକ ମଦନ ମୋହନ ସାହୁଙ୍କୁ ପ୍ରଥମେ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା କାର୍ଡ ବଣ୍ଟନ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ । ବହୁତ୍ କମ୍ ସମୟ ଅବଧି ଭିତରେ ମୋହନ ସରକାରଙ୍କ ଟିମ୍ ଏହି ଯୋଜନାକୁ ଓଡ଼ିଶାରେ ଲାଗୁ କରିଛି । ଏହା insurance ଯୋଜନା ନୁହେଁ, ଏହା assurance ଯୋଜନା। ଏହା ପ୍ରଧାନମନ୍ତ୍ରୀଙ୍କ ସୁଦୂରଦର୍ଷିତାର ପରିଣାମ। ରାଜ୍ୟର ଜନ ସଂଖ୍ୟାର ଏକ ବଡ଼ ଭାଗ ଏବେ ଏହି ଯୋଜନାର ଲାଭ ପାଇ ପାରିବେ ବୋଲି କହିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ।
ବିଗତ ପାଞ୍ଚ ବର୍ଷ ଭିତରେ ଦେଶର ୮ କୋଟି ୯୦ ଲକ୍ଷ ଲୋକଙ୍କ ଚିକିତ୍ସା ଏହି ଯୋଜନା ଅଧୀନରେ ହୋଇ ସାରିଛି। ଲୋକଙ୍କ ଚିକିତ୍ସାରେ ମୋଟ ୧.୩୬ ଲକ୍ଷ କୋଟି ଟଙ୍କା ଭାରତ ସରକାର ଖର୍ଚ୍ଚ କରି ସାରିଛନ୍ତି। ପ୍ରତି ଗ୍ରାମକୁ ଯାଇ ଏହି ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ନିର୍ବାଚିତ ପ୍ରତିନିଧି, ସ୍ବାସ୍ଥ୍ୟ କର୍ମୀଙ୍କୁ ଅପିଲ କରିଛନ୍ତି ଜେପି ନଡ୍ଡା। ପୂର୍ବ ସରକାରଙ୍କୁ ଏହି ଯୋଜନା ଲାଗୁ କରିବା ପାଇଁ ମୁଁ ବାରମ୍ବାର ଅନୁରୋଧ କରିଥିଲି। ରାଜ୍ୟବାସୀ ଏହାର ଜବାବ ଦେଲେ। ପୂର୍ବ ସରକାରଙ୍କୁ ଘରେ ବସାଇ ଦେଲେ। ଓଡ଼ିଶାରେ ପଦ୍ମ ଫୁଟାଇ ଦେଲେ। ଦିଲ୍ଲୀ କେଜରୀବାଲ ସରକାରଙ୍କ ଅବସ୍ଥା ମଧ୍ୟ ସେଇୟା ହେଲା। ଆଗକୁ ପଶ୍ଚିମବଙ୍ଗର ଅବସ୍ଥା ମଧ୍ୟ ସେହି ଭଳି ହେବାକୁ ଯାଉଛି ବୋଲି କହିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ।
ଆଜି ସମସ୍ତଙ୍କ ପାଇଁ ଏକ ଆନନ୍ଦର ଦିନ। ଆଜି ରାଜ୍ୟର ସ୍ବାସ୍ଥ୍ୟ ସେବାରେ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଛି। ସରକାର ପରିବର୍ତ୍ତନ ପରେ ଏହା ସମ୍ଭବ ହୋଇ ପାରିଛି। ବିଶେଷ କରି ରାଜ୍ୟର ବାହାରେ ରହୁଥିବା ଓଡ଼ିଆଙ୍କ ପାଇଁ ଏହା ଏକ ସୁନ୍ଦର ଯୋଜନା। ଡବଲ ଇଞ୍ଜିନ ସରକାରରେ ବିକାଶର ଗତି ଦ୍ଵିଗୁଣିତ ହୋଇଛି। ଏକ ଶକ୍ତ ସମାଜ ଗଠନ ପାଇଁ ସୁସ୍ଥ ନାଗରିକଙ୍କ ଆବଶ୍ୟକତା ରହିଛି। ତିନିଟି ପର୍ଯ୍ୟାୟରେ ଆମେ ଚାରି ହଜାର ଡାକ୍ତର ତଥା ସ୍ବାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦେଇ ସାରିଛୁ। ଆଗାମୀ ଦିନରେ ଆହୁରି ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଡାକ୍ତର ନିଯୁକ୍ତ ହେବେ। ବାସନକୁସନ, ଜମିବାଡି ବନ୍ଧା ପକାଇ ଚିକିତ୍ସା ପାଇଁ ସଂଗ୍ରାମ କରିବା ଯୁଗର ଅବସାନ ଘଟିଛି। ଆଗାମୀ ଦିନରେ ଆହୁରି ଅଧିକ ସଂଖ୍ୟକ ମେଡିକାଲ କଲେଜ୍ ହସ୍ପିଟାଲ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସେହିପରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ତାଙ୍କ ଅଭିଭାଷଣରେ ମୁଁ ରାଜନୀତିଆ ଲୋକ ନୁହେଁ ମୁଁ ଚାକିରୀ କରୁଥିଲି। ଲୋକେ ମତେ ତିଜାଇ ଦେଇ ବିଧାୟକ କରିଦେଲେ। କଂଗ୍ରେସ୍ ମଧ୍ୟ ରାଜ୍ୟରେ କେବେ ଲୋକଙ୍କ କଲ୍ୟାଣ ପାଇଁ କାମ କରି ନାହିଁ । ଏବେ ମୋହନ ସରକାର ବହୁତ୍ କାମ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ।
