ଭୁବନେଶ୍ୱର : ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଏଫଏମ ଛାତ୍ରୀ । ମୃତ୍ୟୁ ସହିତ ୬୦ ଘଣ୍ଟାର ଲଢ଼େଇରେ ଆଖି ବୁଜିଲେ । ଭୁବନେଶ୍ବର ଏମସରେ ଆଖି ବୁଜିଛନ୍ତି ସୌମ୍ୟାଶ୍ରୀ ବିଶି । ଗତକାଲି ବିଳମ୍ବିତ ରାତିରେ ଏମସ କର୍ତ୍ତୃପକ୍ଷ ତାଙ୍କୁ କ୍ଲିନିକାଲ ଡେଥ ଘୋଷଣା କରିଛନ୍ତି । ଏହାକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତ ଶରୀରକୁ ବ୍ୟବଚ୍ଛେଦ ପରେ ସ୍ଵତନ୍ତ୍ର ପୋଲିସ୍ ଏସ୍କଟ ରେ ବାଲେଶ୍ଵର ଅଣାଯାଇଛି । ବାଲେଶ୍ଵର ଜିଲ୍ଲା ଭୋଗରାଇରେ ମୃତ ଛାତ୍ରୀଙ୍କ ଘର । ଆଜି ଛାତ୍ରୀଙ୍କ ଗାଁ ମଶାଣିରେ ଶେଷକୃତ୍ୟ ସଂପନ୍ନ ହେବ ।

ସୂଚନା ଅନୁସାରେ ଗତ ୧୨ ତାରିଖ ମଧ୍ୟାହ୍ନରେ ଏଫଏମ କଲେଜ ପରିସରରେ ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ଛାତ୍ରୀଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡ଼ି ଯାଇଥିଲା । ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରାଯାଇଥିଲା । ଲାଇଫ ସପୋର୍ଟ ସିଷ୍ଟମରେ ରଖି ଚିକିତ୍ସା ଚାଲିଥିଲା । ୧୦ ଜଣିଆ ବିଶେଷଜ୍ଞ ଦଳ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ । ଛାତ୍ରୀଙ୍କରଶ୍ବାସନଳୀ, ବୃକକ, ହୃତପିଣ୍ଡ ସମେତ ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇପଡ଼ିଥିଲା । ତେବେ ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା ।

ଗତକାଲି ରାତି ପ୍ରାୟ ୧୨ଟାରେ ପରିବାର ଛାତ୍ରୀଙ୍କ ମୃତ୍ୟୁ ଘୋଷଣା ପରେ ମେଡିକାଲ ପରିସର କାନ୍ଦବୋବାଳିରେ ଫାଟି ପଡ଼ିଥିଲା । ଏଫଏମ କଲେଜର ଏଜୁକେସନ ବିଭାଗ ମୁଖ୍ୟ ସମୀର ସାହୁଙ୍କ ବିରୋଧରେ ଯୌନ ନିର୍ଯାତନା ଆଣି ଲିଖିତ ଅଭିଯୋଗ କରିଥିଲେ ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀ।

ଅଧ୍ୟାପକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ପରେ ଶେଷରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳିଯାଇଛି ।