ଢାକା : ବାଂଲାଦେଶ ଖେଳାଳି ମୁସ୍ତାଫିଜୁର ରହେମାନଙ୍କୁ କେକେଆର ଟିମରୁ ରିଲିଜ କରିବା ପରେ ବାଂଲାଦେଶ ନେଲା ପଦକ୍ଷେପ । ଆଇପିଏଲ ଟେଲିକାଷ୍ଟକୁ ବାଂଲାଦେଶରେ ଅନିଶ୍ଚିତକାଳ ପାଇଁ ବ୍ୟାନ୍ କରିଛି ୟୁନୁସ ସରକାର । ଫଳରେ ବାଂଲାଦେଶରେ ଥିବା କ୍ରିକେଟ ଫ୍ୟାନ୍ସଙ୍କୁ ଶକ୍ତ ଝଟକା ଲାଗିଛି । ଆଇପିଏଲ ୧୯ ତମ ସିଜିନରେ ମୁସ୍ତାଫିଜୁରଙ୍କୁ ୯,୨୦ କୋଟିରେ କିଣିଥିଲା କେକେଆର । ବାଂଲାଦେଶ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଟିଭି ଚ୍ୟାନେଲକୁ ଆଇପିଏଲ ପ୍ରସାରଣ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛି । ମନ୍ତ୍ରଣାୟଳ ତରଫରୁ ଏହି ନିର୍ଦ୍ଦେଶ ଟେଲିଭିଜନ ଚ୍ୟାନେଲକୁ ଅଫିସିଆଲ ଚିଠି ଦିଆଯାଇଛି ।

ବିସିସିଆଇ ଦ୍ବାରା ବାଂଲାଦେଶର ଷ୍ଟାର ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ଆଗାମୀ ଆଇପିଏଲ ସିଜିନ ପାଇଁ କୋଲକତା ନାଇଟ ରାଇଡର୍ସ ଟିମରୁ ବାଦ୍ ଦିଆଯିବ ପରେ ନିଷ୍ପତ୍ତି ନିଆଯାଇଛି । ଚିଠିରେ କୁହାଯାଇଛି କି, ବିସିସିଆଇ ଏହି ନିଷ୍ପତ୍ତି ପାଇଁ କୌଣସି ସଠିକ୍ କାରଣ ଦର୍ଶାଇନାହିଁ, ତେଣୁ ବାଂଲାଦେଶ ଲୋକଙ୍କୁ ବହୁତ ଦୁଃଖ ଲାଗିବା ସହିତ କ୍ରୋଧରେ ରହିଛନ୍ତି । ଏହି ସ୍ଥିତିକୁ ଦେଖି ମନ୍ତ୍ରଣାଳୟ ସମସ୍ତ ଟିଭି ଚ୍ୟାନେଲକୁ ଅଫିସିଆଲ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଆଗାମୀ ନିର୍ଦ୍ଦେଶ ଯାଏଁ ସମସ୍ତ ଆଇପିଏଲ ମ୍ୟାଚ ଏବଂ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ପ୍ରସାରଣକୁ ତୁରନ୍ତ ରୋକ୍ ଲଗାଇବାକୁ କୁହାଯାଇଛି ।
ଏହାପୂର୍ବରୁ ବାଂଲାଦେଶ ଟି୨୦ ବିଶ୍ବକପ ୨୦୨୬ ପାଇଁ ଭାରତ ଖେଳିବାକୁ ଆସିବାକୁ ମନା କରୁଛି । ଫଳରେ ଆଇସିସି ବାଂଲାଦେଶର ମ୍ୟାଚ୍ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନେଇପାରେ । ସୂଚନାଯୋଗ୍ୟ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସରକାର ଭାଙ୍ଗିବା ପରେ ଦୁଇ ଦେଶ ମଧ୍ୟରେ ସଂପର୍କରେ ତିକ୍ତତା ଆସିଛି । ବାଂଲାଦେଶରେ ହିନ୍ଦୁମାନଙ୍କୁ ହତ୍ୟା କରାଯିବା ପରେ ବାଂଲାଦେଶ ବିରୋଧୀ ପ୍ରଦର୍ଶନ ଭାରତରେ ହେଉଛି ।
