ନୂଆଦିଲ୍ଲୀ: ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ୫୯ତମ ଜ୍ଞାନପୀଠ ପୁରସ୍କାର ପାଇବାକୁ ଛତିଶଗଡ଼ର ସୁନାମଧନ୍ୟ ହିନ୍ଦୀ ସାହିତ୍ୟିକ ତଥା ଲେଖକ ବିନୋଦ ଶୁକ୍ଳା ମନୋନୀତ ହୋଇଛନ୍ତି। ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ଛତିଶଗଡ଼ର ପ୍ରଥମ ଲେଖକ । ଏହି ପୁରସ୍କାର ସହିତ ନଗଦ ୧୧ ଲକ୍ଷ ଟଙ୍କା, ଦେବୀ ସରସ୍ୱତୀଙ୍କ ଏକ କାଂସ୍ୟ ମୂର୍ତ୍ତି ଏବଂ ଏକ ପ୍ରଶଂସାପତ୍ର ପ୍ରଦାନ କରାଯିବ। ୨୦୨୪ ବର୍ଷ ପାଇଁ ଗଠିତ ଚୟନ କମିଟି ପକ୍ଷରୁ ବିନୋଦଙ୍କ ନାଁ ଘୋଷଣା କରାଯାଇଛି। ଏହି ଅବସରରେ ଖୁସି ପ୍ରକାଶ କରି ବିନୋଦ କହିଛନ୍ତି, ସେ ଏହି ପୁରସ୍କାର ପାଇବା ପାଇଁ କେବେ କଳ୍ପନା ମଧ୍ୟ କରି ନ ଥିଲେ। ଏହା ଏକ ବହୁତ ବଡ଼ ପୁରସ୍କାର ବୋଲି ସେ କହିଛନ୍ତି।
ହିନ୍ଦୀ ସାହିତ୍ୟ, ସୃଜନଶୀଳତା ଓ ସ୍ବତନ୍ତ୍ର ଲେଖା ଶୈଳୀରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି। ବିନୋଦ ଶୁକ୍ଳା ୧୯୮୯ ମସିହାରେ ତାଙ୍କ ପୁସ୍ତକ ‘ଦିୱାର ମେଁ ଏକ ଖିଡ଼କି ରହତି ଥି’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ।
ଲେଖକ ଶୁକ୍ଳାଙ୍କ ଅନ୍ୟାନ୍ୟ ଉଲ୍ଲେଖନୀୟ କୃତି ଗୁଡ଼ିକ ହେଲା “ନୌକର କି କମିଜ” (୧୯୭୯), ମଣି କୌଲଙ୍କ ଏକ ଚଳଚ୍ଚିତ୍ରରେ ରୂପାନ୍ତରିତ ଏକ ଉପନ୍ୟାସ ଏବଂ ଏକ କବିତା ସଂକଳନ “ସବ କୁଛ ହୋନା ବଚା ରହେଗା” (୧୯୯୨)। ଜ୍ଞାନପୀଠ ପୁରସ୍କାର ପାଇଁ ମନୋନୀତ ହିନ୍ଦୀ ଲେଖକ ବିନୋଦ କୁମାର ଶୁକ୍ଲାଙ୍କୁ ଛତିଶଗଡର ସିଏମ ବିଷ୍ଣୁ ଦେଓ ସାଏ ଅଭିନନ୍ଦନ ଜଣାଇଛନ୍ତି।
