ଭୁବନେଶ୍ୱର : ସ୍ମାର୍ଟ ମିଟର ଭାଙ୍ଗିଲେ, ଟାଟା ପାୱାର ଓ ରାଜ୍ଯ ସରକାରଙ୍କ ବିରୁଦ୍ଧରେ ଗର୍ଜିଲେ । ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ନୋଟିସ୍ ପ୍ରତ୍ୟାହାର ଏବଂ ସ୍ମାର୍ଟ ମିଟର ବୋଝ ହଟେଇବା ଦାବିରେ ଭୁବନେଶ୍ବର ଟାଟା ପାୱାର କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରିଛି ବିଜୁ ଜନତା ଦଳ । ଡବଲ ଇଞ୍ଜିନ ସରକାର ଲୋକଙ୍କୁ ମାଗଣା ବିଜୁଳି ଦେବେ ବୋଲି କହିଥିଲେ । ଏବେ ଲୋକଙ୍କୁ ଡବଲ ବୋଝ ଲଦୁଛନ୍ତି ବୋଲି ବିଜେଡି କହିଛି । ଟାଟା ପାୱାର ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ବିଜେଡି କହିଛି।
ଏପଟେ ନିଜ ଉପରୁ ଦୋଷ ଛଡାଇଲା ଟାଟା ପାୱାର । ଆଡିସିନାଲ ସିକ୍ୟୁରିଟି ଡିପୋଜିଟ କିଛି ନୂଆ କଥା ନୁହେଁ । ଏହା ପୂର୍ବରୁ ମଧ୍ୟ ଥିଲା ବୋଲି TPCODL ସ୍ପଷ୍ଟ କରିଛି । ଇଲେକଟ୍ରିସିଟି ଆକ୍ଟ 2003 ନିୟମ ଅନୁସାରେ କାମ ହେଉଛି । ଏହା ଏକ ରେଗୁଲେଟେଡ ବିଜନେସ । ବିଦ୍ୟୁତ ବିଲ ,କନେକ୍ସନ ,ଚାର୍ଜେସ ସବୁ ରେଗୁଲେଟେଡ । ଯେଉଁ ସିକ୍ୟୁରିଟି ଡିପୋଜିଟ ନିଆ ଯାଉଛି ତାହା ଉପରେ କ୍ରେଡିଟ ଇଂଟରେଷ୍ଟ ମଧ୍ୟ ଦିଆଯାଉଛି ବୋଲି କହିଛନ୍ତି TPCODL ସିଇଓ । ଅଡ଼ିସିନାଲ ସିକ୍ୟୁରିଟି ଡିପୋଜିଟ ବାବଦରେ ଗଣମାଧ୍ୟମରେ ବିଜ୍ଞାପନ ଦିଆଯାଇଛି ।
ସ୍ମାର୍ଟ ମିଟର ସମ୍ପୂର୍ଣ ସଠିକ ରିଡିଂ ନେଉଛି । ଯାହା ପୁରୁଣା ମିଟର ରିଡିଙ୍ଗ ନେଉଥିଲା ସ୍ମାର୍ଟ ମିଟର ସମାନ ଢଙ୍ଗରେ କାମ କରୁଛି । ଅଧିକ ଟଙ୍କା ଆସିବା ଏକ ଭ୍ରମ । ଉଭୟ ପୁରୁଣା ମିଟର ଓ ସ୍ମାର୍ଟ ମିଟର ଉଭୟକୁ ବ୍ୟବହାର କରାଯାଉଛି । ଆଜିଯାଏଁ ଉଭୟ ମିଟରରେ ସମାନ ରିଡିଂ ଆସୁଛି । ଯଦି କାହାର ବ୍ୟକ୍ତିଗତ ସମସ୍ୟା ଅଛି ତେବେ ଆମ ନିକଟକୁ ଆସି ଜଣେଇପାରିବେ ବୋଲି କହିଛନ୍ତି TPCODL ସିଇଓ ଅରବିନ୍ଦ ସିଂ ।
