ଭୁବନେଶ୍ୱର : ସମ୍ବଲପୁର, କଟକ ଓ ଦେବଗଡ ଜିଲ୍ଲା କୋର୍ଟକୁ ବୋମା ଧମକ ଘଟଣା ପରେ ମୁଖ୍ୟ ସଚିବ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ଅପରାଧୀଙ୍କୁ ଖୋଜିବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚପଦସ୍ତ ଅଧିକାରୀଙ୍କୁ ପଠାଇ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ରହିଛି । ଘଟଣାର ତଦନ୍ତ କରି ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ଉଚ୍ଚପଦସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଧାରଣ ଲୋକଙ୍କ ଧନଜୀବନର ସୁରକ୍ଷା କ୍ଷେତ୍ରରେ କୌଣସି କୋହଳ ମନୋଭାବ ପୋଷଣ କରାଯାଇ ପାରିବ ନାହିଁ । ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ତଦନ୍ତ କରାଯିବ । ଏହାସହିତ ସମ୍ପୃକ୍ତ ସ୍ଥାନକୁ ଅଧିକାରୀମାନଙ୍କୁ ପଠାଇ ଏସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରି ଏଭଳି ଘଟଣାର ମୂଳ ଉଦ୍ଦେଶ୍ୟକୁ ଜାଣିବା ଅତ୍ୟନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ସନ୍ଧ୍ୟାରେ ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଘଟଣାର ସମ୍ପୂର୍ଣ୍ଣ ସମୀକ୍ଷା କରିବେ ।
