ସତ୍ୟବାଦୀ (ଦୁର୍ଗେଶପ୍ରସାଦମିଶ୍ର) ସାକ୍ଷୀଗୋପାଳ ବସଷ୍ଟାଣ୍ଡ ପୋଷ୍ଟଅଫିସ୍ ଆଗରେ ପୁରୀ ଷ୍ଟାଣ୍ଡ ହୋଇଥିବା ବେଳେ ଡ଼ାକ୍ତରଖାନା ପାର୍ଶ୍ବରେ ଭୂବନେଶ୍ବର ପାଇଁ ଷ୍ଟାଣ୍ଡ। ଯଦିଓ୍ ଉଭୟ ପାର୍ଶ୍ଵରେ ବସଷ୍ଟାଣ୍ଡ ବୋଲି ଲେଖା ଯାଇ ନାହିଁ ତଥାପି ଏହାହିଁ ବସଷ୍ଟାଣ୍ଡ ସମସ୍ତଙ୍କ ପାଇଁ। ପ୍ରତିଦିନ ହଜାର ହଜାର ଲୋକଙ୍କ ଯାତାୟାତ ଥିବା ସତ୍ତ୍ବେ ଏଠାରେ ଗୋଟିଏ ଶୌଚାଳୟର ଅଭାବ ଅନେକ ଦିନ ହେବ ଅନୁଭୂତ ହେଉଅଛି। ଯେବେ ସାକ୍ଷୀଗୋପାଳରେ ଓଭରବ୍ରିଜ ହେବାର କାର୍ଯ୍ୟ ଆରମ୍ଭ ହେଲା ସେବେଠାରୁ ଏଠାରେ ଥିବା ଶୌଚାଳୟଟିକୁ ଭାଙ୍ଗି ଦିଆଗଲା। ଆଶା ଥିଲା ଏହି କାର୍ଯ୍ୟର ଦାୟିତ୍ୱରେ ଥିବା ଏନ୍ଏଚ୍ଏଆଇ ଏ ସବୁକୁ ଆଉଥରେ ନିର୍ମାଣ କରିବ, କିନ୍ତୁ ସାକ୍ଷୀଗୋପାଳରେ ଏ ପର୍ଯ୍ୟନ୍ତ ବସ ରହିବା ସ୍ଥାନ ନିରୂପଣ ହୋଇପାରିଲା ନାହିଁ, ପିଇବା ପାଣି ଓ ଶୌଚାଳୟତ ତ ପଛ କଥା। ଶୌଚାଳୟ ଅଭାବରୁ ଆସୁଥିବା ଲୋକ ମାନେ ଅକଥନୀୟ ଅସୁବିଧା ଭୋଗ କରୁଛନ୍ତି ବିଶେଷ କରି ମହିଳାମାନେ। ସ୍ଥାନୀୟ ଲୋକମାନେ ବିଶେଷକରି ସାକ୍ଷୀଗୋପାଳ ବସଷ୍ଟାଣ୍ଡରେ ଗଠିତ ହୋଇଥିବା ଶ୍ରୀ ବାଟ ମହାବୀର ଅଟୋ ଆସୋସିଏସନର କର୍ମକର୍ତ୍ତା ଙ୍କ କହିବା କଥା ଏ ଦିଗରେ ତାଙ୍କ ଅନୁଷ୍ଠାନ ଅନେକ ଥର ସରକାରୀ ସ୍ତରରେ ଦାବି କରିଥିଲେ ମଧ୍ୟ ଏ ଦିଗରେ କେହି କର୍ଣ୍ଣପାତ କରୁନାହାନ୍ତି। ସତ୍ୟବାଦୀର ବାସିନ୍ଦା ତଥା ସାମ୍ବାଦିକ ମାନେ ବାରମ୍ବାର ଖବରକାଗଜ ତଥା ସାମାଜିକ ଗଣମାଧ୍ୟମରେ ଏ ବିଷୟରେ ସ୍ବର ଉତ୍ତୋଳନ କରିଥିଲେ ମଧ୍ୟ ଏହି ପ୍ରସଙ୍ଗ ଅଣଦେଖା ହୋଇ ରହିଛି। ଏହି ସମସ୍ୟାର ଗୁରୁତ୍ତ୍ଵ କୁ ଅନୁଭବ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଅଛି।
