ବ୍ରହ୍ମଗିରି(ଭିଓଭି): ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ବିଭାଗ, ଓଡ଼ିଶା ଏବଂ ପୁରୀ ଜିଲ୍ଲା ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିହିଡା (ନ୍ୟାସନାଲ ଇଂଟିଗ୍ରେଟେଡ ହ୍ୟୁମ୍ୟାନ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ଡେଭେଲପମେଂଟ ଏଜେନ୍ସି) ଆନୁକୁଲ୍ୟରେ ବ୍ରହ୍ମଗିରି ସ୍ଥିତ ପ୍ଲାନ୍ସ କୋଚିଙ୍ଗ ସେଂଟର ଠାରେ ଆଜି ସୋମବାର ଦିନଏକ ଖାଉଟି ସୁରକ୍ଷା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଅଛି । ଦ୍ରବ୍ୟ କିଣିବା ସମୟରେ ଖାଉଟି ମାନେ ବିଭିନ୍ନ ସମୟରେ ଠକାମିର ଶିକାର ହୋଇଥାଆନ୍ତି । ତେଣୁ ଖାଉଟି ମାନଙ୍କ ସୁରକ୍ଷା ପାଇଁ ଥିବା ଖାଉଟି ସୁରକ୍ଷା ଆଇନ ୧୯୮୬ ଓ ୨୦୧୯ ରେ ଥିବା ବିଭିନ୍ନ ଧାରା ବା ବିଷୟ ସଂପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ, ବ୍ୟବସାୟୀ ଏବଂ ସାଧାରଣ ଜନତାଙ୍କୁ ଅତିଥି ମାନେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମ ଜରିଆରେ କିପରି ଦ୍ରବ୍ୟ କିଣିବା ବେଳେ ରସିଦ ମାଗିବା, ଅବଧିର ଶେଷ ତାରିଖ ନିଶ୍ଚିତ କରାଇବା, ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାନଙ୍କ ଚିହ୍ନ ତଥା ଆଇ.ଏସ.ଆଇ ହଲମାର୍କ, ଅଗ୍ ମାର୍କ ଇତ୍ୟାଦି ଚିହ୍ନ ଦେଖି କିଣିବା, ପ୍ୟାକେଟ୍ ଯୁକ୍ତ ଖାଦ୍ୟ ଉପରେ ପ୍ରସ୍ତୁତ କାରୀଙ୍କ ନାମ ଓ ଅବଧିର ଶେଷ ତାରିଖ ଦେଖି କିଣିବା, ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ମୂଲ୍ୟ ନ ଦେବା ଏବଂ ଠକାମିର ଶିକାର ହେଲେ ଜିଲ୍ଲା ସ୍ତରୀୟ ଉପଭିକ୍ତା ବିଚାର କମିଶନଙ୍କ ନିକଟରେ ଅତ୍ୟାବଶ୍ୟକ ଦସ୍ତାବିଜ ଦାଖଲ ସହ ବିନା ଶୁଳ୍କରେ ନିଜେ କିମ୍ବା ପ୍ରତିନିଧିଙ୍କ ଜରିଆରେ ଆବେଦନ କରିବା ଆଦି ପର୍ାମର୍ଶ ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଜନ ମାପ ବିଭାଗ ର ପୁରୀ ଜିଲ୍ଲା ଉପନିୟନ୍ତ୍ରିକା ପ୍ରଗତି ନାୟକ, ସହକାରୀ ନିୟନ୍ତ୍ରକ ଅକ୍ଷୟ କୁମାର ଭୋଇ, ବରିଷ୍ଠ ଆଇନଜୀବୀ ରମାଶଙ୍କର ପାତ୍ର, ସାମ୍ବାଦିକ ରୂପକ ସ୍ୱାଇଁ, ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ବରାଳ, ସାମାଜିକ କର୍ମୀ ଶତୃଘ୍ନ ମହାରାଜ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିହିଡା ର ସମ୍ପାଦକ ଭକ୍ତ ବିହାରୀ ମିଶ୍ର, ସଂଯୋଜକ ଶଶି ସେଖର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ବ୍ରହ୍ମଗିରି ରୁ ରୁପକ ସ୍ୱାଇଁଙ୍କ ରିପୋର୍ଟ
