ରଣପୁର, ୦୨/୦୪ : ୨୦୨୭ ଜନଗଣନା ଅଭିଯାନର ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ତିନି ଦିନିଆ ଗଣନାକାରୀ ଓ ସୁପରଭାଇଜର ତାଲିମ ଶିବିର ରଣପୁରରେ ସଫଳତାର ସହ ଶେଷ ହୋଇଛି। ଏହି ତାଲିମ ଶିବିର ରଣପୁର ତହସିଲ ଓ ବିଜ୍ଞାପିତ ପରିଷଦର ମିଳିତ ପ୍ରୟାସରେ ଆୟୋଜିତ ହୋଇଥିଲା। ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହୋଇ ଅପ୍ରେଲ ୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ତାଲିମ କାର୍ଯ୍ୟକ୍ରମ ତହସିଲଦାର ଆର୍ଯ୍ୟ କୁମାର ସର୍ବଦାମନ ଓ ବିଜ୍ଞାପିତ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ରଙ୍କ ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳାର ସହ ପରିଚାଳିତ ହୋଇଥିଲା।

ତାଲିମ ଶିବିରରେ ଅତିରିକ୍ତ ତହସିଲଦାର ବିଜୟ କୁମାର ବାରିକ ଅଧିକାରୀ ଭାବେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ନିରୀକ୍ଷଣ କରିଥିଲେ। ପ୍ରଶିକ୍ଷକ ଭାବେ ଶକ୍ତି ପ୍ରସାଦ ଆଚାର୍ଯ୍ୟ, ଗୋଦାବରୀ ନାୟକ, ବସନ୍ତ କୁମାର ସାହୁ, ଖିରୋଦ ଚନ୍ଦ୍ର ରାଉତରାୟ, ଗୋପୀନାଥ ପ୍ରଧାନ ଓ ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରି ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ତାଲିମ ଶିବିର ପରିଚାଳନାରେ ସି.ଆର.ସି.ସି ସୁଧାକର ମିଶ୍ର, ସୁଶୀଲ କୁମାର ରଣା, ପୂର୍ଣ୍ଣଚନ୍ଦ୍ର ଜେନା, ସିମାଞ୍ଚଳ ସିଠ, ଶିବନାରାୟଣ ପ୍ରଧାନ ଓ ପ୍ରଭାତ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୯୮ ଜଣ ଗଣନାକାରୀ ଓ ସୁପରଭାଇଜରଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ତାଲିମର ଅନ୍ତିମ ପର୍ଯ୍ୟାୟରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ଜନଗଣନା କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଶପଥ ପାଠ କରାଯାଇଥିଲା।

ଏହି ତାଲିମ ଶିବିର ମାଧ୍ୟମରେ ଜନଗଣନା କାର୍ଯ୍ୟକୁ ସୁଚାରୁ ଓ ସଫଳ କରିବା ପାଇଁ ଆବଶ୍ୟକ ପ୍ରସ୍ତୁତି ସୁନିଶ୍ଚିତ ହୋଇଥିବା ମତ ପ୍ରକାଶ ପାଇଛି।
