ପୁରୀ(ଭିଓଭି): ଏପ୍ରିଲ ୨୫ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ‘ମାଇକେଲ କ୍ୱିଣ୍ଡୋ ମେମୋରିଆଲ ଚମ୍ପିୟନସିପ୍’ ୧୯ ବର୍ଷରୁ କମ୍ ବାଳକ ବିଭାଗରେ ଭାଗ ନେବା ପାଇଁ ପୁରୀରୁ ଏକ ଟିମ୍ ଗତକାଲିଠୁ ଭୁବନେଶ୍ୱର ଯାତ୍ରା କରିଛନ୍ତି। ଏହି ଚମ୍ପିୟନସିପ୍ ରେ ପୁରୀ ସମେତ ଓଡିଶାର ଜୟପୁର, ଛତ୍ରପୁର, ଭୁେନେଶ୍ୱର, କଟକ, ଢ଼େଙ୍କାନାଳ, ରଣପୁର ଓ ପାରାଦ୍ୱିପ ରୁ ମୋଟ ଆଠ ଟି ଦଳ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ପୁରୀ ଜିଲ୍ଲା ସ୍କୁଲ ପରିସରରେ ଅବସ୍ଥିତ ଏଚ୍.ପି.ସି. ହକି ସେଂଟରରେ ପ୍ରଶିକ୍ଷଣ ନେଉଥିବା ପ୍ରାୟ ୧୫୦ ଜଣ ହକି ଖେଳାଳି ମାନଙ୍କ ମଧ୍ୟରୁ ୧୯ ବର୍ଷରୁ କମ୍ ଏହି ଖେଳାଳି ମାନଙ୍କୁ ମନୋନୀତ କରାଯାଇଅଛି। ରାଜ୍ୟସ୍ତରୀୟ ହକି ପ୍ରତିଯୋଗିତାରେ ଭାଗ ନେବାପାଇଁ ପୁରୀରୁ ପ୍ରଥମ ଥର ପାଇଁ ଏହି ଦଳ ଯାତ୍ରା କରୁଥିବାରୁ ଏହା ଆମ ପାଇଁ ଏକ ଐତିହାସିକ ଯାତ୍ରା ବୋଲି ସଂଯୋଜକ ଦାୟିତ୍ଵ ନେଇଥିବା ଅବସର ପ୍ରାପ୍ତ ଖେଳ ଶିକ୍ଷକ ଗୋପାଳ ଚନ୍ଦ୍ର ପରିଡା ପ୍ରକାଶ କରିଛନ୍ତି। ଏହି ଦଳରେ ବାସୁଦେବ ମାଝି, ରଞ୍ଜନ ଟୁଡୁ, ଗୋପିନାଥ ସୋରେନ, ଅଜିତ କୁମାର ଟୁଡୁ, ଏମ. ଲଲିତ କୁମାର ମାଝି, ସୁଭମ୍ କୁମାର ସିଂହ, ସମୟ ମାରାଣ୍ଡି, ଗଜୁ ସୋରେନ, ହିନ୍ଦୁରାଜ ହେମ୍ରମ୍, ହେମନ୍ତ ମାରାଣ୍ଡି, ବହାଦୁର ବେସେରେ, ସୁନିଲ ବାରିକ, ମନୋଜ ସାହୁ, ସୁଭମ ପ୍ରଧାନ, ଲିଙ୍ଗରାଜ ସିଂହ ଏବଂ ରାକେଶ ସାହୁ ଅଂଶଗ୍ରହଣ କରିଛନ୍ତି। ସମସ୍ତ ଖେଳାଳି ପୁରୀ ବିଶ୍ୱମ୍ଭର ବିଦ୍ୟାପୀଠ ଏବଂ ପୁରୀ ଜିଲ୍ଲାସ୍କୁଲର ଛାତ୍ର ଅଟନ୍ତି। ସଂଯୋଜକ ଗୋପାଳ ଚନ୍ଦ୍ର ପରିଡ଼ା, କୋଚ୍ – ଗୌତମ ନାୟକ ଓ ମ୍ୟାନେଜର ଶରତ କୁମାର ମହାନ୍ତି ଟିମ୍ ସହିତ ଯାତ୍ରା କରିଛନ୍ତି।
